
- ୭ଟି ମାମଲା ରୁଜୁ; ୪୦୦୦ କିଲୋ ମହୁଲ ପୋଚ, ୪୭୯.୫ ଲିଟର ମହୁଲି ମଦ, ୩୦୦ କିଲୋ ମହୁଲ ଫୁଲ ଓ ତିନିଟି ଦୁଇଚକିଆ ସହ ଗାଡ଼ି ଜବତ
ରାଉରକେଲା, (କେପିଏନ୍ଏସ୍) : ଆଗାମୀ ଗଣେଶ ଚତୁର୍ଥୀ ଓ ନୂଆଖାଇ ପର୍ବକୁ ଦୃଷ୍ଟିରେ ରଖି ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ ମୋଟ ୭ଟି ଅବକାରୀ ମାମଲା ରୁଜୁ କରାଯାଇ ବିପୁଳ ପରିମାଣର ଅବୈଧ ମଦ, ମହୁଲ ଫୁଲ, ମହୁଲ ପୋଚ ଏବଂ ଯାନବାହନ ଜବତ କରାଯାଇଛି । ଏହି ଅଭିଯାନ ରାଉରକେଲା ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ଙ୍କ ତତ୍ତ୍ୱାବଧାନରେ, ଅବକାରୀ ଅଧୀକ୍ଷକ (ଏନ୍ଫୋର୍ସମେଣ୍ଟ) ଶ୍ରୀମତୀ ଅର୍ଚ୍ଚନା ବାରିକଙ୍କ ନେତୃତ୍ୱରେ ଏବଂ ଅବକାରୀ ଇନ୍ସପେକ୍ଟର ହେମନ୍ତ ମହାନନ୍ଦିଆ ଓ ଦୁର୍ବାଦଳ ବିଶ୍ୱାଳଙ୍କ ନିର୍ଦ୍ଦେଶରେ କରାଯାଇଥିଲା । ଜିଲ୍ଲା ମୋବାଇଲ ୟୁନିଟ୍, ରାଉରକେଲା ପକ୍ଷରୁ ତିନିଟି ମାମଲାରେ ୨୫ ଲିଟର ମହୁଲି ମଦ, ୩୦୦ କିଲୋଗ୍ରାମ ମହୁଲ ଫୁଲ ଏବଂ ୮୪.୫ ଲିଟର ଭେଜାଲ ନକଲି ବିଦେଶୀ ମଦ ଜବତ କରାଯାଇଛି । ଏଥିସହ ଗୋଟିଏ ରୟାଲ ଏନଫିଲ୍ଡ ସିଗ୍ନାଲ୍ସ ମୋଟରସାଇକେଲ, ଦୁଇଟି ସ୍କୁଟି ଏବଂ ଗୋଟିଏ ଅଟୋ ଜବତ ହୋଇଛି । ଏହି ମାମଲାଗୁଡ଼ିକରେ ରାଜେଶ ମହାତୋ, ସୁନୀଲ ସାହୁ, ପ୍ରକାଶ ସିଙ୍ଗଲ ଓ ବଜରଙ୍ଗ ନାୟକଙ୍କ ନାମ ରହିଛି । ରାଉରକେଲା-ଓଓ ଅବକାରୀ ଷ୍ଟେସନ୍ ପକ୍ଷରୁ ମାଙ୍କୋ ଅଞ୍ଚଳରେ ଚଢ଼ାଉ କରି ୬୦ ଲିଟର ମହୁଲି ମଦ ଓ ଗୋଟିଏ ସ୍କୁଟି ଜବତ କରାଯାଇଛି । ଏହି ମାମଲାରେ ଶୁକ୍ରୁ କୁନୁରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେହିପରି ରାଉରକେଲା-ଓ ଅବକାରୀ ଷ୍ଟେସନ୍ ପକ୍ଷରୁ ବିସ୍ରା ଥାନା ଅଧୀନ ଖଇରଟୋଲାରେ ଚଢ଼ାଉ କରାଯାଇ ୨୩୭ ଲିଟର ମହୁଲି ମଦ ଓ ୪,୦୦୦ କିଲୋଗ୍ରାମ ମହୁଲ ପୋଚ ଜବତ କରାଯାଇଛି । ପର୍ବପର୍ବାଣୀ ସମୟରେ ଅବୈଧ ମଦ ପ୍ରସ୍ତୁତି, ପରିବହନ ଓ ବିକ୍ରି ଉପରେ ରୋକ ଲଗାଇବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଏଭଳି ଚଢ଼ାଉ ଓ ଯାଞ୍ଚ ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ।