
ତୁରେକେଲା, (ଯୁଗଳ କିଶୋର ଶବର) : ତୁରେକେଲା ଥାନା ଅଞ୍ଚଳରେ ଲୁହା ରଡ୍ରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ତୁରେକେଲା ପୁଲିସ । ପୁଲିସ ସୂଚନା ଅନୁସାରେ, ଅଗଷ୍ଟ ୩୧ ତାରିଖ ରାତିରେ ଏହି ଘଟଣା ଘଟିଥିଲା । ତୁରେକେଲାର କାୟା ନାଏକଙ୍କ ଅଭିଯୋଗ ଅନୁଯାୟୀ, ସନ୍ତାପ ସାହୁ ଓ ପ୍ରତାପ ସାହୁ, ଉଭୟ ନରୋତ୍ତମ ସାହୁଙ୍କ ପୁଅ ଏବଂ କାମଦେବ ପୁଟେଲ, ଧନାଜନ ପୁଟେଲଙ୍କ ପୁଅ, ମିଶି ମେଘନାଦ ନାଏକଙ୍କୁ ଲୁହା ରଡ୍ରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ମେଘନାଦଙ୍କ ମୁଣ୍ଡ, ଗୋଡ଼ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ରକ୍ତାକ୍ତ ଆଘାତ ଲାଗିଥିଲା । ପ୍ରଥମେ ତାଙ୍କୁ ତୁରେକେଲା ସିଏଚ୍ସିରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ପାଇଁ ବଲାଙ୍ଗିର ଡିଏଚ୍ଏଚ୍କୁ ସ୍ଥାନାନ୍ତର କରାଯାଇଛି । ସେଠାରେ ମେଘନାଦଙ୍କ ଚିକିତ୍ସା ଜାରି ରହିଛି । ଘଟଣାରେ ସମ୍ପୃକ୍ତ ତିନି ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।