
- ଗଜପତିରୁ ୨ ଲୁଟେରାଙ୍କୁ ରିମାଣ୍ଡରେ ଆଣିଲା କଣ୍ଟାବାଞ୍ଜି ପୁଲିସ
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବାଇକ୍ ଡିକି ଭାଙ୍ଗି ୫୦ ହଜାର ଟଙ୍କା ଲୁଟ୍ ଘଟଣାରେ କଣ୍ଟାବାଞ୍ଜି ପୁଲିସକୁ ମିଳିଛି ବଡ଼ ସଫଳତା । ଗଜପତି ଜିଲ୍ଲାରୁ ଦୁଇ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଛି କଣ୍ଟାବାଞ୍ଜି ପୁଲିସ । ଗତ ଅଗଷ୍ଟ ୧ ତାରିଖରେ କଣ୍ଟାବାଞ୍ଜି ସହରର ୨ ନମ୍ବର ରୋଡ୍ରେ ଏକ ବାଇକ୍ ଡିକି ଭାଙ୍ଗି ୫୦ ହଜାର ଟଙ୍କା ଲୁଟ୍ ହୋଇଥିଲା । ତୁରେକେଲା ବ୍ଲକ୍ କୁଇବହାଲ ଗାଁର ତ୍ରିବେଣୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବ୍ୟାଙ୍କରୁ ୫୦ ହଜାର ଟଙ୍କା ଉଠାଇ ବାଇକ୍ ଡିକିରେ ରଖିଥିଲେ । ପରେ ରାସ୍ତାରେ ଏକ ମୁଢ଼ି ଠେଲା ନିକଟରେ ଖାଉଥିବା ସମୟରେ ଦୁର୍ବୃତ୍ତମାନେ ବାଇକ୍ ଡିକି ଭାଙ୍ଗି ଟଙ୍କା ଲୁଟି ଚମ୍ପଟ ମାରିଥିଲେ । ଘଟଣା ପରେ ସିସିଟିଭି ଫୁଟେଜ୍କୁ ଆଧାର କରି କଣ୍ଟାବାଞ୍ଜି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ଅଭିଯୁକ୍ତମାନେ ଗଜପତି ଜିଲ୍ଲାରେ ଅନ୍ୟ ଏକ ଚୋରି ଘଟଣାରେ ଧରାପଡ଼ି ଜେଲ୍ ଯାଇଥିବା ଜଣାପଡ଼ିଥିଲା । ଏହାପରେ କଣ୍ଟାବାଞ୍ଜି ପୁଲିସ ପାରଳାଖେମୁଣ୍ଡି ଉପକାରାଗାରରୁ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଛି । ଅଭିଯୁକ୍ତମାନେ ହେଲେ ଆନ୍ଧ୍ରପ୍ରଦେଶର କପରଟିପା ଗାଁର ପେଟଲା ଦେବାଧନମ୍ ଓ ଗୋଡେଟି ସଲମା । ଦୁଇ ଅଭିଯୁକ୍ତଙ୍କୁ କଣ୍ଟାବାଞ୍ଜି କୋର୍ଟରେ ହାଜର କରାଯାଇଥିବା ବେଳେ ଘଟଣାରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ଏବଂ ଲୁଟ୍ ଟଙ୍କାର କ’ଣ ହୋଇଛି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି ।