jayashree

ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସିଡ଼ି ସ୍ଲାବ୍ ଭୁଶୁଡ଼ି ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ : କ୍ଷତିପୂରଣ ଦାବି

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଚନାବେଡ଼ା ଗ୍ରାମରେ ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସିଡ଼ି ସ୍ଲାବ୍ ଭୁଶୁଡ଼ି ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁଘଟିଥିବା ବେଳେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ଓ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରିଥିଲେ । ସୂଚନା ଅନୁସାରେ ନିର୍ମାଣାଧୀନ କୋଠାର କଂକ୍ରିଟ୍ ସିଡ଼ି ସ୍ଲାବ୍ ହଠାତ୍ ଭୁଶୁଡ଼ି ପଡ଼ିବାରୁ ଜଣେ ଆଦିବାସୀ ଗରିବ ଦିନ ମଜୁରିଆ ଶ୍ରମିକ ଚାପି ହୋଇ ମୃତ୍ୟୁ ଘଟିଥିବା ଜଣାପଡ଼ିଛ । ମୃତ ଶ୍ରମିକ ଜଣକ ଖଡ଼ିଆଳ ଏନ୍‌ଏସି ଅନ୍ତର୍ଗତ ୧୧ ନମ୍ବର ୱାର୍ଡର ବାସିନ୍ଦା ଋଷିକେଶ ଶବର (୪୫) ବୋଲି ଚିହ୍ନଟ ହୋଇଛି । ଋଷିକେଶ ଶବର ଚନାବେଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କ ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୋଠା ଘରେ ଦିନ ମଜୁରିଆ ଭାବେ କାମ କରୁଥିଲେ । ସେ ସିଡ଼ି ତଳେ ଲାଗିଥିବା ସେଣ୍ଟ୍ରିଂ ପ୍ଲେଟ୍ ଏବଂ ଭାର ଖୋଲୁଥିବା ସମୟରେ କୌଣସି କାରଣରୁ ଅପ୍ରତ୍ୟାଶିତ ଭାବେ ସମ୍ପୂର୍ଣ୍ଣ କଂକ୍ରିଟ୍ ସିଡ଼ି ସ୍ଲାବ୍‌ଟି ଭୁଶୁଡ଼ି ତାଙ୍କ ଉପରେ ପଡ଼ିଯାଇଥିଲା । ଫଳରେ ବିରାଟ ସ୍ଲାବ୍ ତଳେ ସେ ଚାପି ହୋଇ ରହିଯାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଖଡ଼ିଆଳ ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ସମାଜସେବୀ ବାଳକୃଷ୍ଣ ଶବରଙ୍କ ସହ ସ୍ଥାନୀୟ ଲୋକେ ପହଞ୍ଚି ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ଅଞ୍ଚଳରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ପାଇଁ କୌଣସି ପ୍ରକାର ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଉ ନ ଥିବାରୁ ବାରମ୍ବାର ଏପରି ଦୁର୍ଘଟଣା ଘଟୁଛି ବୋଲି ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ରାଜ୍ୟ ଶ୍ରମିକ କଲ୍ୟାଣ ପାଣ୍ଠି ଏବଂ ରେଡକ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ଉପଯୁକ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦୃଢ଼ ଦାବି କରିଛନ୍ତି । ଘଟଣାର ଖବର ପାଇ ଖଡ଼ିଆଳ ଏସ୍‌ଡିପିଓ ଉପେନ୍ଦ୍ର କୁମାର ପ୍ରଧାନ ଏବଂ ଥାନା ଅଧିକାରୀ ସୁମନ୍ତ କୁମାର ନାଏକ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏନେଇ ଖଡ଼ିଆଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.