jayashree

ଗୁଞ୍ଚାଡିହି ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର : ବାରହା ଫାସରେ ଲାଗିଥିବା ସନ୍ଦେହ, ଘଟଣାକୁ ନେଇ ରହସ୍ୟ ଘନୀଭୂତ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଚାଡିହି ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ଚନ୍ଦନଜୁରୀ ଗ୍ରାମର କ୍ଷେତ୍ର ବାଗ । ଏହି ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସୂଚନା ଅନୁସାରେ, କ୍ଷେତ୍ର ନିଜ ସମ୍ପର୍କୀୟ ଶାଳୀଙ୍କ ସହ ଜଙ୍ଗଲ ରାସ୍ତା ଦେଇ ଯାଉଥିବା ସମୟରେ ଗୁଞ୍ଚାଡିହି ଜଙ୍ଗଲରେ ବାରହା ଶିକାର ପାଇଁ ବସାଯାଇଥିବା ଫାସରେ ଫସିଯାଇଥିବା ଜଣାପଡ଼ିଛି । ଏହି ସମୟରେ ତାଙ୍କ ସହ ଥିବା ଶାଳୀ ମଧ୍ୟ ଗୁରୁତର ଆହତ ହୋଇଥିଲେ । ଆହତ ଅବସ୍ଥାରେ ସେ ଘରକୁ ଫେରି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଆହତ ଯୁବତୀ ଜଣକ ଦିବ୍ୟାଙ୍ଗ ବୋଲି ମଧ୍ୟ ସୂଚନା ମିଳିଛି । ଘଟଣା ସମ୍ପର୍କରେ ପରିବାର ଲୋକେ ଲରମ୍ଭା ପୁଲିସକୁ ଜଣାଇବା ପରେ ପୁଲିସ ଜଙ୍ଗଲରେ ଖୋଜାଖୋଜି ଆରମ୍ଭ କରିଥିଲା । ଦୀର୍ଘ ସନ୍ଧାନ ପରେ ସନ୍ଧ୍ୟା ସମୟରେ ମଲ୍ଲିକଡିହି ଜଙ୍ଗଲ ଭିତରେ ଥିବା ଏକ ପାହାଡ଼ ଖୋଲରୁ କ୍ଷେତ୍ର ବାଗଙ୍କ ମୃତଦେହ ପୁଲିସ ଉଦ୍ଧାର କରିଥିଲା । ତେବେ ବାରହା ଶିକାର ପାଇଁ ଫାସ ବସାଇଥିବା ଶିକାରୀମାନେ ଯୁବକଙ୍କ ମୃତଦେହକୁ ସେଠାରୁ ନେଇ ଜଙ୍ଗଲ ଭିତରେ ଥିବା ପାହାଡ଼ ଖୋଲରେ ଲୁଚାଇ ରଖିଥିବା ନେଇ ସନ୍ଦେହ ପ୍ରକାଶ ପାଇଛି । ତେବେ ପ୍ରକୃତରେ ଘଟଣା କିପରି ଘଟିଲା ଏବଂ ମୃତଦେହ ପାହାଡ଼ ଖୋଲକୁ କିପରି ଗଲା, ତାହା ଏବେ ତଦନ୍ତ ସାପେକ୍ଷ । ଘଟଣାସ୍ଥଳରେ ଲରମ୍ଭା ପୁଲିସ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଘଟଣାର ସମ୍ପୂର୍ଣ୍ଣ ସତ୍ୟ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

Leave A Reply

Your email address will not be published.