
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ୧୬୪ତମ ଜୟନ୍ତୀ ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହୋଇଯାଇଛି । ପ୍ରଥମେ ଗଙ୍ଗାଧର ଜ୍ୟୋତିକୁ ସ୍ୱାଗତ କରାଯାଇଥିଲା । ଅତିଥିବୃନ୍ଦ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ସ୍ୱଭାବକବିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ଶ୍ରୀମତୀ ନନ୍ଦିନୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଭାବ କବିଙ୍କ ଜୀବନ ଓ ସାହିତ୍ୟ ସାଧନା ସମ୍ପର୍କରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଗଙ୍ଗାଧରଙ୍କ ଅମର ସୃଷ୍ଟି ଓ ଓଡ଼ିଆ ସାହିତ୍ୟ ପ୍ରତି ଅତୁଳନୀୟ ଅବଦାନକୁ ସ୍ମରଣ କରିଥିଲେ । ଉକ୍ତ ଅବସର ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଗଙ୍ଗାଧରଙ୍କ ରଚିତ କବିତା ସମୂହ ଗାନ କରାଯାଇଥିଲା । ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଶିକ୍ଷୟିତ୍ରୀ ରବୀନା ପଧାନ ସଭା ପରିଚାଳନା କରିଥିଲେ ଓ ଶ୍ରୀମତୀ ଜ୍ୟୋତ୍ସ୍ନା ରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଦ୍ୟାଳୟର ପୂଜାରାଣୀ ନାୟକ, ମନୀଷା ଭୋଇ, ପ୍ରଭାତ କୁମାର ସାହୁ, ଖୁସବୁ ବରିହା, ଅମନ କୁମାର ପଣ୍ଡା, ପ୍ରଭାତୀ ପଟ୍ଟନାୟକ, ମମତା ମିଶ୍ର, ବୀର ହାତୀ, ସୁଷମା ଦାଶ, ଦୁଷ୍ମନ୍ତ ଛତର, କମଳା କୁମ୍ଭାର, ପ୍ରଭାସିନୀ ସାହୁ ସହାୟତା କରିଥିଲେ ।