
ଜୟପାଟଣା, (ଶେଷଦେବ ବେହେରା) : ଇସଲାମ ଧର୍ମର ପ୍ରତିଷ୍ଠାତା ମହମ୍ମଦ ସ୍ୱଲେଲ୍ଲାହୋ ଆଲେହି ୱ ସଲମଙ୍କ ପବିତ୍ର ଜନ୍ମଜୟନ୍ତୀ ଉତ୍ସବ, ଜୟପାଟଣା ସୁନ୍ନିମୁସଲିମ ଜମାତ ତରଫରୁ ମହାସମାରୋହର ସହ ପାଳିତ ହୋଇଯାଇଛି । ଏହି ଅବସରରେ ଜୁମ୍ମା ମସଜିଦ ପ୍ରାଙ୍ଗଣ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ପ୍ରତ୍ୟେକଙ୍କ ଘରେ ଆଲୋକ ମାଳାରେ ଉଜ୍ଜୀବିତ ହୋଇ ଉଠିଥିଲା । ପ୍ରତ୍ୟେକ ଇସଲାମ ଧର୍ମୀ ରାତ୍ର ସାରା ଉଜାଗର ରହି ନମାଜ ପାଠ କରିଥିଲେ । ଖିରି, ପୁରୀ, ମିଠା ବ୍ୟଞ୍ଜନ ମଧ୍ୟରେ ହସଖୁସିର ମାହୋଲ ଭରି ଉଠିଥିଲା । ସାମୁହିକ ଭାବେ ପ୍ରାତଃ ସମୟରେ ହାପିଜ ମହମ୍ମଦ ଆସିଫ ରାଜା ଆନସାରିଙ୍କ ଦ୍ଵାରା ଫଜର ନମାଜ ପଠନ ପରେ ପୂର୍ବାହ୍ନ ୯ଟା ସମୟରେ ଜୁମ୍ମା ମସଜିଦ ଠାରୁ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା । ଛୋଟରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପ୍ୟାରେ ନବୀଙ୍କ ନାମ ଗାନ କରି ଦେଶବାସୀଙ୍କୁ ଭାଇଚାରାର ସନ୍ଦେଶ ଦେଇଥିଲେ । ଏକ ସୁନ୍ଦର ଭବ୍ୟ ସମାବେଶ ମଧ୍ୟରେ ହୁଜୁରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇ ଥିବା ଯୋଗୁ ଜୁମ୍ମା ମସଜିଦର ସଭାପତି ଈସୁଫଖାନ, ସମ୍ପାଦକ ନିବାସ ଅଲ୍ଲୀ, ଜବାର ଖାନ, ମୁସ୍ତାଫିଜ ଅଲ୍ଲୀ, ଫାରୁକ ମହମ୍ମଦ, ମେହେବୁବ ଅଲ୍ଲୀ ପ୍ରମୁଖ ଦେଶବାସୀଙ୍କ ସୁଖ ସମୃଦ୍ଧି ନିମନ୍ତେ ଆଲ୍ଲାହାଙ୍କ ନିକଟରେ ଆଶୀର୍ବାଦ ଭିକ୍ଷା କରିଛନ୍ତି ।