jayashree

ବଲାଙ୍ଗିରରେ ବଢୁଛି ଅପରାଧ, ଏସ୍‌ପିଙ୍କୁ ଭେଟିଲା ସିଭିଲ୍ ସୋସାଇଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ବଢୁଥିବା ଚୋରି, ଡକାୟତି, ବିଭିନ୍ନ ଅପରାଧ ଓ ସଡ଼କ ଦୁର୍ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛି ବଲାଙ୍ଗିର ଜିଲ୍ଲା ସିଭିଲ୍ ସୋସାଇଟି । ଏନେଇ ସୋସାଇଟିର ଏକ ପ୍ରତିନିଧି ଦଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜିଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛି । ବିଶେଷ କରି ନିକଟରେ କିଛି ଅପରାଧୀଙ୍କୁ ଗିରଫ କରିବା ଏବଂ ବିଭିନ୍ନ ଉଦ୍ଧାର କାର୍ଯ୍ୟକୁ ସଫଳତାର ସହ ପରିଚାଳନା କରିଥିବାରୁ ପୋଲିସକୁ ସିଭିଲ୍ ସୋସାଇଟି ପକ୍ଷରୁ ପ୍ରଶଂସା କରାଯାଇଥିଲା । ଆଗାମୀ ଦିନରେ ମଧ୍ୟ ଅପରାଧ ନିୟନ୍ତ୍ରଣ ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ପୋଲିସ ଆହୁରି ପ୍ରଭାବଶାଳୀ ପଦକ୍ଷେପ ନେବ ବୋଲି ସୋସାଇଟି ଆଶା ପ୍ରକାଶ କରିଛି । ଏହାସହ ବଲାଙ୍ଗିରରେ ବଢୁଥିବା ନିଶାଦ୍ରବ୍ୟ କାରବାର ଉପରେ କଡ଼ା ନଜର ରଖିବା, ସହରର ଟ୍ରାଫିକ ସମସ୍ୟା ଦୂର କରିବା, ଉଚ୍ଚସ୍ୱରରେ ଗାଡ଼ି ଚଳାଇବା ଏବଂ ଦ୍ରୁତଗତିରେ ଗାଡ଼ି ଚଳାଉଥିବା ଚାଳକଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରାଯାଇଥିଲା । ଆଗାମୀ ଦଶହରା ପାର୍ବଣକୁ ଦୃଷ୍ଟିରେ ରଖି ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା ଓ ଆଇନଶୃଙ୍ଖଳା ବ୍ୟବସ୍ଥା ପାଇଁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେବାକୁ ମଧ୍ୟ ସୋସାଇଟି ପକ୍ଷରୁ ଅନୁରୋଧ କରାଯାଇଛି । ଏ ସମ୍ପର୍କରେ ଏକ ଦାବିପତ୍ର ଏସ୍‌ଡିପିଓ ସରୋଜ କୁମାର ଉପାଧ୍ୟାୟ, ଟାଉନ୍ ଥାନାଧିକାରୀ ଅବନୀ ସାହୁ, ପୁଇଁତଲା ଥାନାଧିକାରୀ ସଞ୍ଜୟ କୁମାର ରାଉତରାୟ ଏବଂ ଲକ୍ଷ୍ମୀଯୋର ଥାନାଧିକାରୀ ସଞ୍ଜୟ ସାହୁଙ୍କୁ ପ୍ରଦାନ କରାଯାଇଥିଲା । ଆଲୋଚନାରେ ସିଭିଲ୍ ସୋସାଇଟିର ଆବାହକ ଇଞ୍ଜିନିୟର ବେଲାରସିଂ ଭୋଇ, ସଂଯୋଜକ ମନୋରଞ୍ଜନ ସାହୁ, ମନୋରଞ୍ଜନ ମିଶ୍ର, ଦିବାକର ହୋତା ଓ ଅରୁଣ ନାଥଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ବଲାଙ୍ଗିରରେ ଅପରାଧ ନିୟନ୍ତ୍ରଣ ସହ ନିଶା କାରବାର ରୋକିବା, ଟ୍ରାଫିକ ବ୍ୟବସ୍ଥା ସୁଧାରିବା ଏବଂ ପାର୍ବଣ ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଦିଗରେ ପୋଲିସ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବ ବୋଲି ସୋସାଇଟି ଆଶା ପ୍ରକାଶ କରିଛି ।

Leave A Reply

Your email address will not be published.