ଆଗଲପୁର ବ୍ଲକ ବିଦ୍ୟାଳୟ ସମୂହ କ୍ରୀଡା ସଂସଦର ସାଧାରଣ ସଭା ଅନୁଷ୍ଠିତ

csstore

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର ଆଗଲପୁର ଶିକ୍ଷା ଅଧିନସ୍ଥ ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ଝରଣୀପାଲି ପରିସରରେ ଆଗଲପୁର ବ୍ଲକ ବିଦ୍ୟାଳୟ ସମୂହ କ୍ରୀଡା ସଂସଦର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଧାରଣ ସଭାରେ ବ୍ଲକ ଶିକ୍ଷା ଅଧିକାରୀ ଶ୍ୟାମ ମେହେର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ବ୍ଲକ ଶିକ୍ଷା ଅଧିନସ୍ଥ ସମସ୍ତ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଉକ୍ତ ସଭାରେ କ୍ରୀଡା ଶିକ୍ଷୟିତ୍ରୀ ମାଧୁରୀ ପଣ୍ଡା ସମସ୍ତଙ୍କୁ ସ୍ୱାଗତ ଜଣାଇଥିବାବେଳେ ସଂପାଦକ ଉମାକାନ୍ତ ପଧାନ କାର୍ଯ୍ୟକ୍ରମର ସଫଳ ସଂଯୋଜନା କରିଥିଲେ ।। ଉକ୍ତ ସଭାରେ ସଂପାଦକ ବିଗତ ୨୦୨୫-୨୬ ବର୍ଷର ବାର୍ଷିକ ବିବରଣୀ ଓ ଆୟବ୍ୟୟ ବିବରଣୀ ପଠନ କରିଥିଲେ ଏବଂ ଚଳିତ ୨୦୨୬-୨୭ ବର୍ଷପାଇଁ ଆୟୋଜିତ ହେବାକୁଥିବା ୧୧ ଗୋଟି କ୍ରୀଡା ଶୃଙ୍ଖଳାର ଜୋନ୍ ସ୍ତରୀୟ, ବ୍ଲକ୍ ସ୍ତରୀୟ ତଥା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାର ସଫଳ ସଂଯୋଜନା ତଥା ସୁପରିଚାଳନା ପାଇଁ ଆଲୋଚନା କରାଯାଇଥିଲା ଏବଂ ସମସ୍ତଙ୍କ ପ୍ରଚେଷ୍ଟାରେ ଚଳିତ ବର୍ଷ କ୍ରୀଡାରେ ଉତ୍ତମ ପ୍ରଦର୍ଶନ ନିମନ୍ତେ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ୟାମ ମେହେର ଉତ୍ସାହିତ କରିଥିଲେ । ଏଥି ସହିତ ସଭାରେ ୨୦୨୫-୨୬ ବର୍ଷରେ ବ୍ଲକ୍ ତରଫରୁ ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟର କ୍ରୀଡା ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ବ୍ଲକ ଅଧିନରେ ନୂତନଭାବେ ଯୋଗଦାନ କରିଥିବା କ୍ରୀଡା ଶିକ୍ଷକ ଆଶୁତୋଷ ହୋତା, ସୁବ୍ରତ ଥାଟି ଏବଂ କ୍ରୀଡା ଶିକ୍ଷୟିତ୍ରୀ ସୌଦାମିନୀ କାଣ୍ଡିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ କ୍ରୀଡା ଶିକ୍ଷକ ରଙ୍ଗାଧର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.