ସୁବର୍ଣ୍ଣପୁରରେ ଏମ୍ସର ଉଚ୍ଚସ୍ତରୀୟ ଡାକ୍ତରୀ ଦଳ

csstore

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସର୍ବଭାରତୀୟ ଚିକିତ୍ସା ବିଜ୍ଞାନ ଅନୁଷ୍ଠାନ (ଏମ୍ସ) ଭୁବନେଶ୍ୱରର ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଦଳ ସୁବର୍ଣ୍ଣପୁର ଜିଲ୍ଲା ପରିଦର୍ଶନ କରି ଜିଲ୍ଲାର କିଡ଼ନୀ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଜିଲ୍ଲାର ବିଭିନ୍ନ ଅଞ୍ଚଳ ତଥା ସୋନପୁର ବ୍ଲକ ମୟୂରଉଡାନ ପଞ୍ଚାୟତ, ଅର୍ଜୁନପୁର ଓ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ପଞ୍ଚାୟତରେ କିଡନୀ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଜିଲ୍ଲାପାଳ ଡ. ନୃପରାଜ ସାହୁ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ସୁବର୍ଣ୍ଣପୁର ଡା. ଉଷାରାଣୀ ଦାଶଙ୍କ ଅନୁରୋଧ କ୍ରମେ ଜିଲ୍ଲାରେ କେଉଁ କାରଣରୁ ଲୋକେ ଏତେ ପରିମାଣରେ କିଡନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି ତାର ଅନୁସନ୍ଧାନ ପାଇଁ ଗତକାଲି ଠାରୁ ଜିଲ୍ଲାରେ ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ଏକ ଉଚ୍ଚ ସ୍ତରୀୟ ଡାକ୍ତରୀ ଦଳ ସୁବର୍ଣ୍ଣପୁର ଜିଲ୍ଲା ପରିଦର୍ଶନରେ ଆସି ଜିଲ୍ଲାର ସଦର ସୋନପୁର ଓ ଉଲୁଣ୍ଡା ବ୍ଲକର ସୁନାପାଲି ଗ୍ରାମକୁ ପରିଦର୍ଶନରେ ଯାଇଥିଲେ । ସେହି ଗ୍ରାମ ମାନଙ୍କରେ ଲୋକଙ୍କ ସହିତ ମିଶି ଲୋକଙ୍କ କାମ ଧନ୍ଦା, ଖାଦ୍ୟ ପେୟ, ପିଇବା ପାଣି, ସମଗ୍ର ପରିବେଶ ପ୍ରତି ଅନୁଧ୍ୟାନ କରି କିଡନୀ ରୋଗ ହେବାର କାରଣ ଓ ନିରାକରଣ ଉପରେ ଆଲୋଚନା କରି ଲୋକଙ୍କୁ ସଚେତନ କରିଛନ୍ତି । ଏମ୍ସ ଭୁବନେଶ୍ୱର ଏକ୍ସକ୍ୟୁଟିଭ୍‌ ନିର୍ଦ୍ଦେଶକ ଏଣ୍ଡ ସିଇଓ ପ୍ରଫେସର ଡା. ଆଶୁତୋଷ ବିଶ୍ୱାସ, ଡା. ସନ୍ଦୀପ କୁମାର ପଣ୍ତା, ଏସୋସିଏଟ୍ ପ୍ରଫେସର ନେଫ୍ରୋଲୋଜି ବିଭାଗ ଡା. ବିନୋଦ ବେହେରା, ଅତିରିକ୍ତ ପ୍ରଫେସର କମ୍ୟୁନିଟି ମେଡିସିନ ଏଣ୍ଡ ଫେମିଲି ମେଡିସିନ ଡା. ଦେବାନନ୍ଦ ସାହୁ, ଏସୋସିଏଟ ପ୍ରଫେସର୍ ଜେନେରାଲ ମେଡିସିନ ପ୍ରମୁଖ ପାଞ୍ଚ ଜଣିଆ ଟିମ୍ ସହିତ ନିଜେ ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟେ ଡ. ନୃପରାଜ ସାହୁ ଉକ୍ତ ଗ୍ରାମକୁ ପରିଦର୍ଶନରେ ଯାଇଥିଲେ । ଏହି ଟିମ୍‌ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଉଷାରାଣୀ ଦାଶ ଓ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଦେବୀପ୍ରସାଦ ମହାପାତ୍ର, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଲେପ୍ରସୀ) ଡ. ତିବ୍ରିକ୍ରମ୍ ପାଣ୍ଡିଆ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ରୂପକ କୁମାର ମହାପାତ୍ର ଏବଂ ଆଲୋକ କୁମାର ମିଶ୍ର, ଅଣ ସଂକ୍ରାମକ ରୋଗ ପରାମର୍ଶଦାତା ତଥା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସୋନପୁରର ରୋଗ ସର୍ବେକ୍ଷଣ ସଂସ୍ଥାର ଏପିଡେମିଓଲୋଜିଷ୍ଟ ଲୋପାମୁଦ୍ରା ମହାପାତ୍ର ଓ ଟିମ୍‌ ଏବଂ ଏଡିଏମ୍‌ ରାଜେନ୍ଦ୍ର ମାଝୀଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀ ଏହି ଦଳରେ ସାମିଲ ଥିଲେ । ସକାଳେ ସର୍କିଟ ହାଉସ ସୋନପୁର ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ସମୀକ୍ଷା ଅନୁଷ୍ଠିତ ହୋଇଥିଲା । କିଡ଼ନୀ ରୋଗ ସାଧାରଣତଃ, ମାନସିକ ଚାପ, କୀଟନାଶକ ଔଷଧର ବହୁଳ ବ୍ୟବହାର, ଖରଜଳକୁ ପାନୀୟ ଭାବରେ ବ୍ୟବହାର ଓ ବହୁଳ ଭାବରେ ଦେଶୀ ମଦ ନିଶା ବ୍ୟବହାର ଯୋଗୁଁ ଏହି ରୋଗ ଆକ୍ରାନ୍ତର ମୁଖ୍ୟ କାରଣ ବୋଲି ବୈଠକରେ ଏମ୍ସ ନିର୍ଦ୍ଦେଶକ କହିଥିଲେ । ତରଳ ଝାଡା ଓ ବାନ୍ତି ରୋଗୀ ମାନେ ତଥା କମ ପାଣି ପିଇବା ଦ୍ୱାରା ଏହି ରୋଗ ହୋଇଥାଏ । ରିସର୍ଚ୍ଚ ମୋଡ଼ରେ ଓଡିଶା ସରକାର ଓ ଜିଲ୍ଲା ପ୍ରଶାସନ ସହିତ ମିଶି ଏହି ରୋଗର କାରଣ ଓ ନିରାକରଣରେ ସଫଳତା ପାଇ ପାରିବେ ବୋଲି ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସଧାରଣ ଲୋକଙ୍କୁ ଓ ଜିଲ୍ଲା ପ୍ରଶାସନକୁ ଦୃଢ଼ ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.