ପରିବାର ନିୟୋଜନ ବନ୍ଧ୍ୟାକରଣରେ ସାନଖେମୁଣ୍ଡି ବ୍ଲକ୍ ପ୍ରଥମ

csstore

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସୂଚକାଙ୍କରେ ଆହୁରି ଉନ୍ନତି ଆଣିବା ସହ ଜନସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ପ୍ରଜନନ, ମାତୃ, ନବଜାତ, ଶିଶୁ, କିଶୋର ସ୍ୱାସ୍ଥ୍ୟ ଓ ପୋଷଣ କାର୍ଯ୍ୟକ୍ରମର ଫଳପ୍ରଦ କାର୍ଯ୍ୟଶନ୍ୱୟନ ଉପରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ୱାସନ ଗୁରୁତ୍ୱାରୋପ କରିଛନ୍ତି । ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଭବନର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ଓ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ପ୍ରଜନନ, ମାତୃ, ନବଜାତ, ଶିଶୁ, କିଶୋର ସ୍ୱାସ୍ଥ୍ୟ ଓ ପୋଷଣ କାର୍ଯ୍ୟକ୍ରମ ଏବଂ ‘ନିରୀକ୍ଷଣ’ କାର୍ଯ୍ୟକ୍ରମର ଅଗ୍ରଗତିର ସମୀକ୍ଷା କରିଥିଲେ । ଗର୍ଭବତୀ ମହିଳାଙ୍କର ପ୍ରାରମ୍ଭିକ ପଞ୍ଜୀକରଣ, ଜଟିଳ ଗର୍ଭଧାରଣର ସମୟୋପଯୋଗୀ ଚିହ୍ନଟ, ନିର୍ଦ୍ଧାରିତ ସମୟରେ ଅଲ୍ଟ୍ରାସୋନୋଗ୍ରାଫି, ସୁରକ୍ଷିତ ପ୍ରତିଷ୍ଠାନଭିତ୍ତିକ ପ୍ରସବ, ଶିଶୁଙ୍କ ସମ୍ପୂର୍ଣ୍ଣ ଟିକାକରଣ, ଗୁଣାତ୍ମକ ପରିବାର ନିୟୋଜନ ସେବା, ପୋଷଣ ଅଭିଯାନ ଅଧୀନରେ ପୁଷ୍ଟିକର ଖାଦ୍ୟ, ଲୌହ ଓ ଫୋଲିକ ଅମ୍ଳ ବଟିକା, କ୍ୟାଲସିୟମ୍ ପ୍ରଦାନ, ଶିଶୁଙ୍କ ବୃଦ୍ଧି ନିରୀକ୍ଷଣ, ଗୁରୁତର ଓ ମଧ୍ୟମ ପୁଷ୍ଟିହୀନ ଶିଶୁଙ୍କର ଯଥାଯଥ ପରିଚାଳନା ଏବଂ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ସୁବିଧା ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଦିଗରେ ସମସ୍ତ ଅଧିକାରୀଙ୍କୁ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ରେକର୍ଡ ଓ ଦସ୍ତାବିଜ ପରିଚାଳନାକୁ ସୁଦୃଢ଼ କରିବା, ଆବଶ୍ୟକୀୟ ଔଷଧ, ପରୀକ୍ଷା ସୁବିଧା ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିବା, ଆମ୍ବୁଲାନ୍ସ ଓ ଅଟୋ ଆମ୍ବୁଲାନ୍ସ ସେବା ସମେତ ରୋଗୀ ପରିବହନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଏବଂ ସଂକ୍ରମଣ ନିୟନ୍ତ୍ରଣ ବ୍ୟବସ୍ଥାର ନିୟମିତ ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଜନସଂଖ୍ୟା ସ୍ଥିରତା ପକ୍ଷ (୧୧ରୁ ୨୪ ଜୁଲାଇ) ପାଳନ ଅବସରରେ ପରିବାର ନିୟୋଜନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଶ୍ରେଷ୍ଠ ବ୍ଲକ୍, ସ୍ୱାସ୍ଥ୍ୟ ଅନୁଷ୍ଠାନ, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ବନ୍ଧ୍ୟାକରଣରେ ୪୧୩ଟି ଅସ୍ତ୍ରୋପଚାର କରି ସାନଖେମୁଣ୍ଡି ବ୍ଲକ୍ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ବେଗୁନିଆପଡ଼ା ବ୍ଲକ୍ (୩୮୭) ଦ୍ୱିତୀୟ ଏବଂ ଛତ୍ରପୁର ବ୍ଲକ୍ (୩୬୭) ତୃତୀୟ ସ୍ଥାନ ଅଧିକାର କରିଛି । ପ୍ରସବ ପରବର୍ତ୍ତୀ ଆଇୟୁସିଡି ରୋପଣରେ ଏମ୍.କେ.ସି.ଜି. ମାତୃ ଓ ଶିଶୁ ଚିକିତ୍ସାଳୟ ୪,୬୭୭ଟି ସ୍ଥାପନ ସହ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଭଞ୍ଜନଗର ଓ ହିଞ୍ଜିଳିକାଟୁ ବ୍ଲକ୍ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ସବ୍-ଡର୍ମାଲ୍ ଇମ୍ପ୍ଲାଣ୍ଟ ଇନ୍ସର୍ସନ୍ କ୍ଷେତ୍ରରେ ପୋଲସରା, ସୋରଡ଼ା ଏବଂ ରଙ୍ଗେଇଲୁଣ୍ଡା ବ୍ଲକ୍ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସମ୍ମାନୀତ ହୋଇଥିଲେ । ପରିବାର ନିୟୋଜନ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଡା. ଶରତ କୁମାର ସାମଲ, ଡା. ସୁଚିତ୍ରା କୁମାରୀ ସାହୁ ଏବଂ ଡା. ସମ୍ବିତ ବିଗ୍ରେଙ୍କୁ ପୁଷ୍ପଗୁଚ୍ଛ ସହ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ସେହିପରି ଅପରେସନ ଥିଏଟର ସହାୟକ ଭାବେ ଉଲ୍ଲେଖନୀୟ ସେବା ପାଇଁ ଦୁଡୁ ନାୟକ, ଗଣପତି ଖଣ୍ଡୁଆଳ ଏବଂ ସଞ୍ଜୟ କୁମାର ଘଡ଼େଇଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ସମସ୍ତ ସମ୍ବର୍ଦ୍ଧିତ ବ୍ୟକ୍ତିତ୍ୱଙ୍କୁ ଅଭିନନ୍ଦନ ଜଣାଇ ଜିଲ୍ଲାପାଳ କହିଥିଲେ ଯେ’ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ କ୍ଷେତ୍ରସ୍ତରରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ନିଷ୍ଠାପୂର୍ଣ୍ଣ ସେବା ଯୋଗୁଁ ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଦୃଢ଼ ହେଉଛି । ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ଓ ନିୟମିତ ତଦାରଖ ମାଧ୍ୟମରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଜିଲ୍ଲାକୁ ଆହୁରି ଉନ୍ନତ ସ୍ତରକୁ ନେବାପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଭବାନୀ ଶଙ୍କର ମିଶ୍ର, ସିଟି ହସ୍ପିଟାଲର ଅଧୀକ୍ଷକ ଡା. ବିଶ୍ୱମ୍ବର ବେହେରା, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବାଲୁଙ୍କେଶ୍ୱର ଷଡ଼ଙ୍ଗୀ, ସମସ୍ତ ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଜାତୀୟ ସ୍ୱାସ୍ଥ୍ୟ ମିଶନର ପରାମର୍ଶଦାତା, ଉପଖଣ୍ଡ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏବଂ ଜିଲ୍ଲା ଓ ବ୍ଲକସ୍ତରର ବିଭିନ୍ନ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.