ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ପୋଲିସ ନିଶା କାରବାର ବିରୋଧରେ ପୁଣି ଏକ ସଫଳ ଅଭିଯାନ ଚଳାଇ ୧୨ କେଜି ଗଞ୍ଜେଇ ଜବତ କରିଛି । ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ନାବାଳକଙ୍କୁ ଆଇନ ଅନୁଯାୟୀ ଅଟକ ରଖାଯାଇଛି । ମଙ୍ଗଳବାର ଜୟହିନ୍ଦ ପବ୍ଲିକ ସ୍କୁଲ ନିକଟରେ ପେଟ୍ରୋଲିଂ ସମୟରେ ଥାନାଧିକାରୀ ଅଭିନାଶ ପଧାନଙ୍କ ନେତୃତ୍ୱରେ ପୋଲିସ ଏକ ସନ୍ଦେହଜନକ ମୋଟରସାଇକେଲକୁ ଅଟକାଇ ତଲାସି କରିବାବେଳେ ୧୨ କେଜି ଗଞ୍ଜେଇ ଜବତ କରିଥିଲା । ଖପ୍ରାଖୋଲ ତହସିଲଦାର ସତ୍ୟସୁନ୍ଦର ରାଉତରାୟ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ରହିଥିଲେ । ପୋଲିସ ସୂଚନା ଅନୁଯାୟୀ, ଗଞ୍ଜେଇ କନ୍ଧମାଳରୁ ରାଇପୁରକୁ ଚାଲାଣ ହେଉଥିବା ନେଇ ତଦନ୍ତ ଚାଲିଛି । ଏନେଇ ଲାଠୋର ଥାନା କେସ୍ ନଂ ୧୩୪/୨୦୨୬ରେ ଏନ୍ଡିପିଏସ୍ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଲାଠୋର ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଥିବା ବେଳେ ବଡ଼ ନିଶା କାରବାରୀଙ୍କ ବିରୋଧରେ ମଧ୍ୟ ଏଭଳି କଡ଼ା ଅଭିଯାନ ଜାରି ରଖିବାକୁ ସାଧାରଣ ଲୋକ ଦାବି କରିଛନ୍ତି ।
Prev Post
