କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସୀତାକାନ୍ତ ରଣା ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଓଡିଶା ଭିଜିଲାନ୍ସ ବିଭାଗ ହାତରେ ଧରା ପଡିଛନ୍ତି । ସୂଚନାନୁଯାୟୀ, ଅଧ୍ୟକ୍ଷ ରଣା ଥୁଆମୂଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟରେ ସଫେଇ କାର୍ଯ୍ୟରେ ନିୟୋଜିତ ଏସ୍ଏଚ୍ଜିର ତିନି ମାସର ବକେୟା ବିଲ କରିବା ପାଇଁ ଲାଞ୍ଚ ଦାବୀ କରିଥିଲେ । ସମ୍ପୃକ୍ତ ଏସ୍ଏଚ୍ଜିର ସଦସ୍ୟମାନେ ବକେୟା ବିଲ ପାଇଁ ଅଧ୍ୟକ୍ଷଙ୍କୁ ବାରମ୍ବାର ଅନୁରୋଧ କରୁଥିଲେ । କିନ୍ତୁ ବିଭିନ୍ନ ଆଳ ଦେଖାଇ ଅଧ୍ୟକ୍ଷ ବିଲ ପାସ କରୁନଥିଲେ । ଏ ସମ୍ପର୍କରେ ଏସ୍ଏଚ୍ଜି ସଦସ୍ୟମାନେ ଓଡିଶା ଭିଜିଲାନ୍ସକୁ ଅବଗତ କରିଥିଲେ । ଅଧ୍ୟକ୍ଷ ରଣା ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଆଜି ଓଡିଶା ଭିଜିଲାନ୍ସ ବିଭାଗ ଶ୍ରୀ ରଣାଙ୍କୁ ମାଡ଼ିବସିଥିଲା । ତାଙ୍କଠାରୁ ଲାଞ୍ଚ ବାବଦର ୧୦ ହଜାର ଟଙ୍କା ମଧ୍ୟ ଜବତ କରିଥିଲା । ଶ୍ରୀ ରଣାଙ୍କ କାର୍ଯ୍ୟାଳୟ ସମେତ ଭବାନୀପାଟଣା ସ୍ଥିତ ଭଡାଘରେ ମଧ୍ୟ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି । ଭିଜିଲାନ୍ସ ବିଭାଗ ଅଧ୍ୟକ୍ଷ ରଣାଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।
Prev Post
