କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହରର ୩ ନମ୍ବର ୱାର୍ଡରେ ଘଟିଥିବା ଏକ ବଡ ଧରଣର ଚୋରି ଘଟଣା ଅଞ୍ଚଳରେ ଚାଞ୍ଚଳ୍ୟ ସୃଷ୍ଟି କରିଛି । ପୁନମ ଚାନ୍ଦ ଜୈନଙ୍କ ଘରୁ ସୁନା ଗହଣା, ନଗଦ ଟଙ୍କା ଓ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିବା ସୂଚନା ମିଳିଛି । ପ୍ରାଥମିକ ଆକଳନ ଅନୁଯାୟୀ, ଚୋରି ହୋଇଥିବା ସମ୍ପତ୍ତିର ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ପୁନମ ଚାନ୍ଦ ଜୈନ ଓ ତାଙ୍କ ପରିବାର କୌଣସି କାର୍ଯ୍ୟରେ ବାହାରକୁ ଯାଇଥିଲେ। ଏହି ସୁଯୋଗକୁ ନେଇ ଚୋରମାନେ ସୋମବାର ରାତିରେ ଘରର ମୁଖ୍ୟ ଗେଟ୍ର ତାଲା କାଟି ଭିତରକୁ ପ୍ରବେଶ କରିଥିଲେ । ପରେ ସେମାନେ ଘର ଭିତରୁ ସୁନା ଗହଣା, ନଗଦ ଟଙ୍କା ସହ ବିଭିନ୍ନ ମୂଲ୍ୟବାନ ଜିନିଷପତ୍ର ନେଇ ଫେରାର ହୋଇଯାଇଥିଲେ । ଘଟଣାର ପରଦିନ ସକାଳେ ଜଣେ ପଡ଼ୋଶୀ ଘରର ଗେଟ୍ ଖୋଲାଥିବା ଦେଖି ସନ୍ଦେହ କରିଥିଲେ । ସେ ତୁରନ୍ତ ଘର ମାଲିକ ପୁନମ ଚାନ୍ଦ ଜୈନଙ୍କୁ ଖବର ଦେଇଥିଲେ । ପରେ ଘର ମାଲିକ ଘରକୁ ଫେରି ଚୋରି ଘଟିଥିବା ନିଶ୍ଚିତ କରି କେସିଙ୍ଗା ଆଦର୍ଶ ଥାନାରେ ଅଭିଯୋଗ ଦାଖଲ କରିଥିଲେ । ଅଭିଯୋଗ ପାଇବା ପରେ କେସିଙ୍ଗା ଆଦର୍ଶ ଥାନାର ଆଇଆଇସି, ଏସଡିପିଓ ଓ ପୋଲିସର ସନ୍ଧାନୀ କୁକୁର ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ସନ୍ଧାନୀ କୁକୁର ଘର ପରିସରରୁ ଗନ୍ଧ ଧରି ୩ ନମ୍ବର ୱାର୍ଡର ବିଭିନ୍ନ ଗଳିକନ୍ଦି ଦେଇ ଆମ୍ବଜୀ ମନ୍ଦିର ଅଞ୍ଚଳ ପର୍ଯ୍ୟନ୍ତ ଯାଇଥିଲା । ପରେ ସେଠାରୁ ରେଳ ଷ୍ଟେସନ ଦିଗକୁ ଗତି କରିଥିବା ଜଣାପଡ଼ିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚୋରମାନେ ଚୋରି କରିବା ପରେ ରେଳ ଷ୍ଟେସନକୁ ପହଞ୍ଚି ଟ୍ରେନ ଯୋଗେ ଫେରାର ହୋଇଥିବା ସନ୍ଦେହ କରାଯାଉଛି । ଘଟଣାକୁ ଗୁରୁତ୍ୱର ସହ ନେଇ ପୋଲିସ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରୁଥିବା ବେଳେ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖିଛି । ଏହି ବଡ ଧରଣର ଚୋରି ଘଟଣା ପରେ କେସିଙ୍ଗା ସହରବାସୀଙ୍କ ମଧ୍ୟରେ ସୁରକ୍ଷା ନେଇ ଚିନ୍ତା ବଢ଼ିଛି । କେସିଙ୍ଗା ପୋଲିସ ପାଇଁ ଏହା ଏକ ଚ୍ୟାଲେଞ୍ଜ କେବେ ଧରିବେ ଚୋରକୁ ?
Prev Post
