ସୋହେଲା, (କେପିଏନ୍ଏସ୍) : ଲଦାଖର ପ୍ରସିଦ୍ଧ ଶିକ୍ଷାବିତ୍ ତଥା ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ଏବଂ ଦେଶର ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଆଜି ସୋହେଲା ସହର କମ୍ପିଛି । ଆମ ଆଦମୀ ପାର୍ଟି (ଆପ୍) ଯୁବ ମୋର୍ଚ୍ଚାର ନେତା ଶାହରୁଖ ଲୋଧିଆଙ୍କ ନେତୃତ୍ୱରେ ସୋହେଲା ଗାନ୍ଧୀ ଛକଠାରେ ଏକ ବିଶାଳ ତଥା ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି । ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ଆପ୍ ଯୁବ ମୋର୍ଚ୍ଚାର କର୍ମୀମାନେ ସୋନମ୍ ୱାଙ୍ଗଚୁକଙ୍କ ଗଣତାନ୍ତ୍ରିକ ଲଢ଼େଇକୁ ପୂର୍ଣ୍ଣ ସମର୍ଥନ ଜଣାଇବା ସହ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥାରେ ଦେଖାଦେଇଥିବା ଅନିୟମିତତାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଥିଲେ । ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଜବାବଦେହିତା ପ୍ରତିଷ୍ଠା କରିବାରେ ବିଫଳ ହୋଇଥିବା ଦର୍ଶାଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ସେଠାରେ ଜୋରଦାର ସ୍ଲୋଗାନବାଜି କରାଯାଇଥିଲା ।
ଏହି ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନରେ ଆମ ଆଦମୀ ପାର୍ଟି ଯୁବ ମୋର୍ଚ୍ଚାର ଶତାଧିକ ସକ୍ରିୟ କର୍ମୀ, ନେତା ଓ ସ୍ଥାନୀୟ ସମର୍ଥକ ସାମିଲ ହୋଇ ନିଜର ଦାବି ଉପସ୍ଥାପନ କରିଥିଲେ । ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।
Prev Post
