jayashree

ଫଲସାମାଲରେ ବିଜେଡ଼ି ଜନସଂପର୍କ ପଦଯାତ୍ରା ତଥା ଆଦିବାସୀ ଭବନ ଉଦ୍‌ଘାଟିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଆଭ୍ୟନ୍ତରୀଣ ଫଲସାମାଲ ଠାରେ ବିଜୁ ଜନତା ଦଳ ତରଫରୁ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଦିବାସୀ ସଂସ୍କୃତି ଓ ପରମ୍ପରାର ପ୍ରତୀକ ଭାବେ ନିର୍ମିତ ନୂତନ ଆଦିବାସୀ ଭବନ ଉଦଘାଟନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି ଯୋଗଦେଇ ନବନିର୍ମିତ ଆଦିବାସୀ ଭବନର ଉଦଘାଟନ କରିବା ସହିତ ତାଙ୍କ ବକ୍ତବ୍ୟରେ ଏହି ଭବନ ଆଦିବାସୀ ଭାଇ ଭଉଣୀ ମାନଙ୍କ ବିକାଶ ଓ ସଂସ୍କୃତିର ସୁରକ୍ଷା ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି କହିଥିଲେ । ଏଥିସହିତ ଜଳ, ଜମି ଓ ଜଙ୍ଗଲର ସୁରକ୍ଷା ପାଇଁ ସମଗ୍ର ଆଦିବାସୀ ସମାଜ ଏକଜୁଟ ହୋଇ ସଂଗ୍ରାମ କରିବାର ସମୟ ଆସିଛି ବୋଲି ସୂଚନା ଦେବା ସହିତ ଡବଲ ଇଞ୍ଜିନ ସରକାରଙ୍କ ଆଦିବାସୀ ବିରୋଧୀ ନୀତି ଉପରେ ବିଶୋଦଗାର କରିଥିଲେ । ସମ୍ମାନିତ ଅତିଥି ଭାବେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଜେଡ଼ି ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ବେହେରା ଯୋଗଦେଇ ଆଦିବାସୀଙ୍କ ଜମି ଜଙ୍ଗଲ ତଥା ଖଣି ଖାଦାନ ଉପରେ ସରକାରଙ୍କ ଲୋଲୁପ ଦୃଷ୍ଟି ପଡ଼ିଥିବାରୁ ତାହାର ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିବା ସହିତ ଦୀର୍ଘକାଳୀନ ସଂଗ୍ରାମର ଆବଶ୍ୟକତା ରହିଥିବା ନେଇ ଆହ୍ୱାନ ଜଣାଇଥିଲେ । ଏହି ଅବସରରେ ଆଦିବାସୀଙ୍କ ପାରମ୍ପରିକ ଅସ୍ତ୍ରଶସ୍ତ୍ର ପୂଜନ କରାଯିବା ସହିତ ମା’ ବିନ୍ଧ୍ୟବାସିନୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଆଦିବାସୀ ନେତା କୈଳାସ ବାରିହାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ବରିହା, ସରଗାଡ ସରପଞ୍ଚ ସରୋଜ ବେହେରା, ସମିତି ସଭ୍ୟ ମିଶ୍ର ବରିହା, ଭକ୍ତ ବରିହା, ରଘୁମଣି ମିର୍ଦ୍ଧା, ଜଙ୍ଗଲ ଅଧିକାର କମିଟି ସମ୍ପାଦକ ତଥା ଆଦିବାସୀ ନେତା ଚୈତନ୍ୟ ବାଗ, ନାରାୟଣ କରଞ୍ଜ, ବିଂଝାଲ ସମାଜ ସଭାପତି ଦନାର ବରିହାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଆଦିବାସୀ ସମାଜର ପ୍ରମୁଖ ବ୍ୟକ୍ତି ଉପସ୍ଥିତ ରହି ସ୍ଵକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମୋତିରାମ ବରିହା, ଗୁଣନିଧି ବରିହା, ଖେଲରାଜ ବରିହା, ଭୀଷ୍ମ ବରିହା, କଏଁରୁ ବରିହା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.