ଅନୈତିକ ପ୍ରେମ ସମ୍ପର୍କ : ଛୁରା ମାରିବାକୁ ଆସି ଛୁରା ମାଡ଼ରେ ମୃତ୍ୟୁ

ବଲାଙ୍ଗିର : ପ୍ରେମ ହେଉଛି ଭଲପାଇବା, ବିଶ୍ୱାସ ଓ ସମ୍ମାନର ପ୍ରତୀକ। କିନ୍ତୁ ଅନୈତିକ ସମ୍ପର୍କ କେତେ ଭୟଙ୍କର ପରିଣତି ଆଣିପାରେ, ତାହାର ଏକ ଚାଞ୍ଚଲ୍ୟକର ଉଦାହରଣ ସାମ୍ନାକୁ ଆସିଛି ବଲାଙ୍ଗିର ଜିଲ୍ଲା ବେଲପଡା ଅଞ୍ଚଳରୁ। କୁକୁଡ଼ା ଫାର୍ମରୁ ଆରମ୍ଭ ହୋଇଥିବା ଅନୈତିକ ପ୍ରେମ ସମ୍ପର୍କର ଶେଷ ହୋଇଛି ରକ୍ତାକ୍ତ ଛୁରାମାଡ଼ରେ । ଆକ୍ରମଣ କରିବାକୁ ଆସିଥିବା ବ୍ୟକ୍ତି ଶେଷରେ ପାଲଟା ଛୁରାମାଡ଼ରେ ପ୍ରାଣ ହରାଇଛନ୍ତି ।ସୂଚନା ଅନୁସାରେ, ବେଲପଡା ଅଞ୍ଚଳର ସସ୍ମିତା ମେହେର ପ୍ରାୟ ଦଶ ବର୍ଷ ପୂର୍ବେ ମୁରିବାହାଲ ବ୍ଲକର ଜଣେ ଯୁବକଙ୍କୁ ବିବାହ କରିଥିଲେ । ପରେ ତାଙ୍କ ସ୍ୱାମୀ ଓ ଅନ୍ତର୍ଲା ଗାଁର ମୁନା ବେହେରା ମିଶି ଏକ କୁକୁଡ଼ା ଫାର୍ମ ଚଳାଉଥିଲେ । ସେହି ସମୟରେ ସସ୍ମିତା ଫାର୍ମ କାମରେ ସହଯୋଗ କରୁଥିବା ବେଳେ ମୁନା ବେହେରାଙ୍କ ସହ ତାଙ୍କର ଘନିଷ୍ଠତା ବଢ଼ିଥିଲା । ଏହି ଘନିଷ୍ଠତା ପରେ ଅନୈତିକ ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା ।ଦୀର୍ଘ ବର୍ଷ ଧରି ଚାଲିଥିବା ଏହି ସମ୍ପର୍କ ମଧ୍ୟରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। କଥା କଟାକଟି ପରେ ମାରପିଟ ହୋଇଥିଲା ଏବଂ ସସ୍ମିତା ଆହତ ହୋଇଥିଲେ । ଏହାପରେ ସେ ନିଜ ନାବାଳିକା ଝିଅକୁ ନେଇ ବେଲପଡାରେ ଥିବା ବାପଘରକୁ ଚାଲିଆସିଥିଲେ । କିଛି ଦିନ ପୂର୍ବେ ମୁନା ବେହେରା ତିନିଜଣ ସହଯୋଗୀଙ୍କ ସହ ସସ୍ମିତାଙ୍କୁ ନେବା ପାଇଁ ବେଲପଡା ଆସିଥିଲେ । ସସ୍ମିତା ଲୁଚିଯାଇଥିବା ବେଳେ ନାବାଳିକା ଝିଅକୁ ଅପହରଣ କରିବାକୁ ଉଦ୍ୟମ କରାଯାଇଥିଲା । ଗ୍ରାମବାସୀମାନେ ଜଣେ ଅଭିଯୁକ୍ତଙ୍କୁ କାବୁ କରି ପୋଲିସରେ ଦେଇଥିଲେ। ଏନେଇ ବେଲପଡା ଥାନାରେ ମାମଲା ରୁଜୁ ହୋଇଥିଲା। ଜଣେ ଗିରଫ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ମୁନା ବେହେରା ଫେରାର ଥିଲେ । ଅପହରଣ ମାମଲା ରୁଜୁ ହେବା ପରେ ମୁନା ବେହେରା ଉତ୍ତେଜିତ ହୋଇପଡ଼ିଥିଲେ । ଅଭିଯୋଗ ଅନୁଯାୟୀ, ସେ ସସ୍ମିତାଙ୍କ ସହ ଥିବା ବ୍ୟକ୍ତିଗତ ଅନ୍ତରଙ୍ଗ ଭିଡିଓକୁ ସୋସିଆଲ ମିଡିଆର ଏକାଧିକ ଆକାଉଣ୍ଟରେ ଭାଇରାଲ କରିଥିଲେ ଏବଂ ବିଷ ପିଇ ଆତ୍ମହତ୍ୟା କରିବାକୁ ଧମକ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଆଜି ମୁନା ବେହେରା ଛୁରୀ ଧରି ସସ୍ମିତାଙ୍କ ଘରକୁ ପହଞ୍ଚି ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ସସ୍ମିତା ଓ ତାଙ୍କ ନାବାଳିକା ଝିଅ ଆହତ ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଘଟଣା ସମୟରେ ହୋଇଥିବା ପାଲଟା ଛୁରାମାଡ଼ରେ ମୁନା ବେହେରା ଗୁରୁତର ଆହତ ହୋଇଥିଲେ । ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣା ପରେ ବେଲପଡା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । କୁକୁଡ଼ା ଫାର୍ମର ସହଭାଗୀତାରୁ ଆରମ୍ଭ ହୋଇଥିବା ଏକ ଅନୈତିକ ପ୍ରେମ ସମ୍ପର୍କ ଶେଷରେ ନେଇଛି ଏକ ରକ୍ତାକ୍ତ ମୋଡ଼ । ଆକ୍ରମଣ କରିବାକୁ ଆସିଥିବା ବ୍ୟକ୍ତି ନିଜେ ପାଲଟା ଆକ୍ରମଣରେ ପ୍ରାଣ ହରାଇଥିବା ବେଳେ ଜଣେ ମହିଳା ଓ ତାଙ୍କ ନାବାଳିକା ଝିଅ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ପ୍ରେମ, ପ୍ରତିଶୋଧ ଓ ହିଂସାର ଏହି ଚାଞ୍ଚଲ୍ୟକର ଘଟଣା ବର୍ତ୍ତମାନ ସମଗ୍ର ବଲାଙ୍ଗିର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।