- ‘ଶିଶୁଙ୍କ ଦୃଷ୍ଟିରେ ଦାରୁବ୍ରହ୍ମ ଶ୍ରୀ ଜଗନ୍ନାଥ ଶିଶୁସୁଲଭ ଗୁଣଧାରୀ ଠାକୁର’
ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଜାତିର ମଉଡ଼ମଣି ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ଶିଶୁ ମାନଙ୍କର ରଥ ଚଢୁଥିବା କାଳିଆ ରାଜା ଓ ପୋଡ଼ପିଠା ପାଇଁ ମାଉସୀ ମା’ଙ୍କୁ ଅଳି କରୁଥିବା ଶିଶୁସୁଲଭ ଗୁଣଧାରୀ ଠାକୁର ବୋଲି ବେଦବ୍ୟାସ ସ୍ଥିତ ଗୁରୁକୁଳ ବୈଦିକ ଆଶ୍ରମ ପରିସରରେ ତ୍ରୈମାସିକ ଶିଶୁକିଶୋର ପତ୍ରିକା ତେଲିଙ୍ଗିବାଜା ଆନୁକୂଲ୍ୟରେ ଆୟୋଜିତ ରଥଯାତ୍ରା ବିଶେଷାଙ୍କ ଲୋକାର୍ପଣ ଉତ୍ସବରେ ବିଶିଷ୍ଟ ବକ୍ତାମାନେ ମତପ୍ରକାଶ କରିଛନ୍ତି । ବିଶିଷ୍ଟ ବିଜ୍ଞାନ ଗବେଷିକା ଓ ଶିକ୍ଷାବିତ୍ ଡକ୍ଟର ସରୋଜିନୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଗୁରୁକୁଳ ଆଶ୍ରମର ସମ୍ପାଦକ ଅଶୋକ କୁମାର ଅଗ୍ରୱାଲ ଓ ମଞ୍ଚାସୀନ ଅତିଥିବୃନ୍ଦ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଅତିଥି ଓ ବିଦ୍ୟାର୍ଥୀମାନଙ୍କ ଦ୍ଵାରା ‘ତେଲିଙ୍ଗିବାଜା’ର ରଥଯାତ୍ରା ସଂଖ୍ୟା ଲୋକାର୍ପିତ ହୋଇଥିଲା । ସଭାଧ୍ୟକ୍ଷା ଡ. ସାହୁ ନିଜ ବକ୍ତବ୍ୟରେ କହିଲେ ଯେ, ଶିଶୁମାନେ ଦାରୁବ୍ରହ୍ମଙ୍କୁ ନିଜ ସାଙ୍ଗ ପରି ବିବେଚନା କରନ୍ତି । ଭଲ କାମ କରିବା ପାଇଁ ହାତଗୋଡ଼ର ଆବଶ୍ୟକତା ନାହିଁ ବୋଲି ଜଗନ୍ନାଥ ଆମକୁ ପ୍ରେରଣା ଦିଅନ୍ତି । ମୁଖ୍ୟ ଅତିଥି ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ କହିଲେ ଯେ, ଜଗନ୍ନାଥ ହେଉଛନ୍ତି ଶିଶୁସୁଲଭ ଦାରୁବ୍ରହ୍ମ । ମହାବୃକ୍ଷକୁ ପୂଜା କରିବା ପାଇଁ ଶାସ୍ତ୍ରରେ କୁହାଯାଇଛି । ଶିଶୁଙ୍କ ପରି ଦାରୁବ୍ରହ୍ମଙ୍କୁ ପହଣ୍ଡି କରାଯାଏ ବୋଲି ସେ କହିଥିଲେ । ମୁଖ୍ୟବକ୍ତା ବିଶିଷ୍ଟ ଆଲୋଚିକା ଓ ଶିଶୁ ସାହିତ୍ୟିକା ରଶ୍ମିବାଳା ରାଉତରାୟ କହିଲେ ଯେ, ଶିଶୁର ମନ ଦେବତାର ଘର । ଦାରୁବ୍ରହ୍ମ ଶିଶୁଙ୍କ ପରି ସରଳ, କୋମଳ ଓ ନିରହଂକାର । ତାଙ୍କ ପାଖରେ ଶିଶୁସୁଲଭ ଠାଣି ରହି ଥିବାରୁ ଶିଶୁଙ୍କ ପ୍ରତି ତାଙ୍କର ଅଧିକ ଅନୁଗ୍ରହ ଥାଏ । ସମ୍ମାନିତ ବକ୍ତା ବରିଷ୍ଠ ଶିଶୁସାହିତ୍ୟିକ ତ୍ରିଲୋଚନ ମଥାନ କହିଲେ ଯେ, ପଞ୍ଚ ମହାଭୂତରୁ ଦାରୁ ଉତ୍ପତ୍ତି ହୋଇଥିବାରୁ ଶ୍ରୀ ଜଗନ୍ନାଥଙ୍କ ଲୀଳା ବଡ଼ ବିଚିତ୍ର । ସମ୍ମାନିତ ବକ୍ତା ବିଶିଷ୍ଟ ଶିକ୍ଷାବିତ୍ ଡ. କମଳ ମିଶ୍ର ଜଗନ୍ନାଥଙ୍କୁ ଖୋଜିବା ପାଇଁ ଶିଶୁମାନେ ବୈଜ୍ଞାନିକ ପ୍ରମାଣ ଖୋଜିବା ଅନାବଶ୍ୟକ ବୋଲି ମତ ଦେଇଥିଲେ । ଅନ୍ୟତମ ବକ୍ତା ବିଶିଷ୍ଟ କବି ଓ ଆଲୋଚିକା ମଞ୍ଜୁଳା କୁମାରୀ ରଥ କହିଲେ ଯେ, ବିସ୍ମୟ ଠାକୁର ଦାରୁବିଗ୍ରହ ବିଷ୍ଣୁଙ୍କର ଦଶ ଅବତାର ଭିତରୁ ଅନ୍ୟତମ ହୋଇଥିବାରୁ ସେ ପତିତପାବନ ଅଟନ୍ତି । ସମ୍ମାନିତ ବକ୍ତା ବରିଷ୍ଠ ସାହିତ୍ୟିକ ଓ ପ୍ରାକ୍ତନ ବୀମା ଅଧିକାରୀ ନୃସିଂହ ଚରଣ ବିଶ୍ଵାଳ କହିଲେ ଯେ, ପ୍ରଭୁ ନବଦିନ ଯାତ୍ରା କରି ମାନବୀୟ ଲୀଳାର ପରିଚୟ ଦେଇଥାନ୍ତି ଏବଂ ଶକ୍ତି, ସାହସ ପାଇଁ ପିଲାଏଁ ପ୍ରଭୁଙ୍କୁ ନିବେଦନ କରନ୍ତି । କାର୍ଯ୍ୟକ୍ରମ ଆରମ୍ଭରେ ତେଲିଙ୍ଗିବାଜା ପତ୍ରିକାର ସହ-ସମ୍ପାଦିକା କମଳା ବାରିକ୍ ଶ୍ରୀଜଗନ୍ନାଥଙ୍କ ଭଜନ ଗାନ କରିଥିବା ବେଳେ ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ବାରିକ ସ୍ଵାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ସମ୍ପାଦକ ସତ୍ୟବ୍ରତ ଦାସ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ । ଦଶମ ଶ୍ରେଣୀର ଛାତ୍ର ଅମିୟ ରଞ୍ଜନ ଗଡ଼ୋଡିଆ ‘ଶିଶୁଙ୍କ ଦୃଷ୍ଟିରେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ’ ଶୀର୍ଷକ ଉପରେ ବକ୍ତବ୍ୟ ରଖିଥିଲେ । ଦିବଙ୍ଗତ ଶିକ୍ଷାବିତ୍ ଲକ୍ଷ୍ମୀଧର ସ୍ଵାଇଁଙ୍କ ସ୍ମୃତିରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସଭାରେ ସର୍ବଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ଉପେନ୍ଦ୍ର କୁମାର ବସ୍ତିଆ, ଅଭିରାମ ପ୍ରଧାନ, ଦିବାକର ଦାସ, ବଳରାମ ଦାଶ, ଶରତ କୁମାର ଦାସ, ସଂଗ୍ରାମ କିଶୋର ଭୂୟାଁ, ଅଶୋକ କୁମାର ପାତ୍ର, ବିଜୟଲକ୍ଷ୍ମୀ ପଟ୍ଟନାୟକ, ସୁଷମା ପଟେଲ, ଦୀପ୍ତି ମହାନ୍ତି, ସବିତା ଦାସ, ଶଙ୍କରୀ ବାରିକ, ସୁଚିତ୍ସ୍ମିତା ପଣ୍ଡା, ଶ୍ଵେତାଲିନା ଶତପଥୀ, ସୁବର୍ଣ୍ଣ ଦତ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । କବି ଡ. ନିଶିକାନ୍ତ ମିଶ୍ର ବେଦ ପାଠ କରିଥିଲେ ଓ କବି ବିଜୟ କୁମାର ମିଶ୍ର ସଭା ପରିଚାଳନା କରିଥିଲେ । ଶେଷରେ କବି ନିକୁଞ୍ଜ ବିହାରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
