ବଲାଙ୍ଗିର, (କେପିଏନ୍ଏସ୍) : ପୌରପରିଷଦ ତରଫରୁ ହୋଇଥିବା ବନ୍ଧ ପୁନଃଉଦ୍ଧାର କାର୍ଯ୍ୟ ସଂର୍ପକରେ ନାଗରିକ କମିଟି ଦେଇଥିବା ବିବୃତି ଉପରେ ବିଭିନ୍ନ ଖବର କାଗଜରେ ଗୋଟିଏ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ଆଶଙ୍କା ପ୍ରକାଶ କରିଛି । ଆମେ ଜଣାଇଦେବାପାଇଁ ଚାହୁଁ ଯେ, ନାଗରିକ କମିଟି କୌଣସି ରାଜନୈତିକ ସଂସ୍ଥା ନୁହେଁ । ଏଥିରେ ଜାତି, ଧର୍ମ, ବର୍ଣ୍ଣ ତଥା ସମସ୍ତ ରାଜନୈତିକ ଦଳର ଜ୍ଞାନୀ ଗୁଣୀ ବ୍ୟକ୍ତି ବିଶେଷ ସଦସ୍ୟ ଅଛନ୍ତି । ବଲାଙ୍ଗିରର ଏହା ଏକ ମର୍ଯ୍ୟାଦା ଜନକ ସଂସ୍ଥା ଏବଂ ସରକାରଙ୍କ ଠାରେ ଚାପ ସୃଷ୍ଟି କରି ବଲାଙ୍ଗିରର ଉନ୍ନତି କରିବା ଏହାର ଲକ୍ଷ୍ୟ । ପୁନଶ୍ଚ ଲୋକଙ୍କ ସହ ନିକଟତର ହୋଇ ଭଲକୁ ଭଲ ଖରାପକୁ ଖରାପ କହି ଅନ୍ୟାୟ ବିରୁଦ୍ଧରେ ଲଢେଇ କରିବା ଆମର କାମ । ତେବେ ଆମେ ଅନେକ ବନ୍ଧ ପୋଖରୀ ପଙ୍କୋଦ୍ଧାର ସମୟରେ ବୁଲିଛୁ, ଲୋକଙ୍କ ସହ କଥାବାର୍ତ୍ତା କରିଛୁ ଏବଂ ଯାହା ଦେଖିଛୁ ଯାହା ଶୁଣିଛୁ ତାର ଉପରେ ମନ୍ତବ୍ୟ ରଖିଛୁ । ଆମେ ସବୁ ଦଳର ରାଜନୈତିକ ନେତୃବୃନ୍ଦଙ୍କୁ ସମାନ ଆଖିରେ ଦେଖୁଛୁ ଏବଂ କାହାକୁ ଅସମ୍ମାନ କରୁନାହୁଁ । କିନ୍ତୁ ସତ କଥା କହିବାରେ ପଛଘୁଞ୍ଚା ଦେବୁନାହିଁ । ଏଥିରେ ଆମକୁ ରାଜନୀତିର ଉର୍ଦ୍ଧରେ ରଖି ବଲାଙ୍ଗିରର ଉନ୍ନତି କରିବାପାଇଁ ସୁଯୋଗ ଦିଅନ୍ତୁ ବୋଲି ପ୍ରେସ୍ ବିବୃତି ମାଧ୍ୟମରେ ନାଗରିକ କମିଟି ସଭାପତି ଡ. ଶ୍ରୀକର ମିଶ୍ର ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।
