ନିଶା କାରବାର ବିରୋଧରେ ଖପ୍ରାଖୋଲ ପୋଲିସର ଜିରୋ ଟଲରେନ୍ସ : ୧୩୦ ବୋତଲ ଏସ୍‌କଫ୍‌ ଜବତ

csstore

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବେଆଇନ ନିଶା କାରବାର ବିରୋଧରେ ଖପ୍ରାଖୋଲ ପୋଲିସର କଡ଼ା ଅଭିଯାନ ଜାରି ରହିଛି । ଏହି କ୍ରମରେ ମଙ୍ଗଳବାର ପୋଲିସ ଆଉ ଏକ ବଡ଼ ସଫଳତା ହାସଲ କରି ହରିଶଙ୍କର ଛକ ନିକଟରୁ ୧୩୦ ବୋତଲ ଏସ୍‌କଫ୍‌ କଫ୍‌ସିରପ ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି କାର୍ଯ୍ୟାନୁଷ୍ଠାନ ପୁଣିଥରେ ଅଞ୍ଚଳରେ ସକ୍ରିୟ ନିଶା କାରବାରୀଙ୍କ ବିରୋଧରେ ପୋଲିସର କଠୋର ଆଭିମୁଖ୍ୟକୁ ସ୍ପଷ୍ଟ କରିଛି । ସୂଚନା ଅନୁଯାୟୀ, ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତର ପୋଲିସ ଟିମ ସହ ହରିଶଙ୍କର ଛକ ଅଞ୍ଚଳରେ ନିୟମିତ ପେଟ୍ରୋଲିଂ କରୁଥିବା ବେଳେ ଧଣ୍ଡାମୁଣ୍ଡା ପଟରୁ ଦୁଇଟି ମୋଟରସାଇକେଲରେ ତିନିଜଣ ବ୍ୟକ୍ତି ସନ୍ଦେହଜନକ ଭାବେ କିଛି ସାମଗ୍ରୀ ବୋଝେଇ କରି ଆସୁଥିବା ଦେଖିଥିଲେ । ପୋଲିସ ସେମାନଙ୍କୁ ଅଟକାଇ ଯାଞ୍ଚ କରିବା ପରେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ୧୩୦ ବୋତଲ ଏସକଫ କଫ ସିରପ ଜବତ କରିଥିଲା । ଘଟଣାସ୍ଥଳରେ ଖପ୍ରାଖୋଲ ତହସିଲଦାର ସତ୍ୟ ସୁନ୍ଦର ରାଉତରାୟ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ରହି ଜବତ ସାମଗ୍ରୀର ଗଣତି ଓ ଆଇନଗତ ପ୍ରକ୍ରିୟା ତଦାରଖ କରିଥିଲେ । ପୋଲିସ ଅଭିଯୁକ୍ତମାନଙ୍କ ନିକଟରୁ ୨ଟି ମୋଟରସାଇକେଲ, ୩ଟି ମୋବାଇଲ ଫୋନ ଓ ୧,୫୯୫ ଟଙ୍କା ନଗଦ ମଧ୍ୟ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଖପ୍ରାଖୋଲ ଥାନା ଅନ୍ତର୍ଗତ ପାଚେର ଗ୍ରାମର ଅନିଲ ନିଆଲ, ମାଟିଆଭଟା ଗ୍ରାମର ଜିବେଶ ପଣ୍ଡା ଏବଂ ବେଲପଡା ଥାନା ଅନ୍ତର୍ଗତ ଡୁଙ୍ଗୁରିଗୁଡ଼ା ଗ୍ରାମର ଥବିର ଧରୁଆ । ଏନେଇ ଖପ୍ରାଖୋଲ ଥାନାରେ କେସ ନଂ–୧୪୪/୨୦୨୬ ରେ ମାମଲା ରୁଜୁ କରାଯାଇଛି । ଗିରଫ ତିନି ଅଭିଯୁକ୍ତଙ୍କୁ ପାଟଣାଗଡ଼ କୋର୍ଟକୁ ଚାଲାଣ କରାଯାଇଥିବା ବେଳେ ଏହି ବେଆଇନ କଫ ସିରପ କେଉଁଠାରୁ ଆସିଥିଲା ଏବଂ ଏହାର ଚେର କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି, ସେନେଇ ପୋଲିସ ଅଧିକ ତଦନ୍ତ ଚଳାଇଥିବା କେସର ତଦନ୍ତକାରୀ ଅଧିକାରୀ ଲିଙ୍ଗରାଜ କିଷାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.