ପଦ୍ମପୁର ମହିଳା ସ୍ନାତକ ମହା ବିଦ୍ୟାଳୟରେ ଶକ୍ତିଶ୍ରୀ ଆନୁକୂଲ୍ୟରେ ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ଅନୁମୋଦନକ୍ରମେ ପଦ୍ମପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ କାର୍ଯ୍ୟକ୍ରମ ଅଧୀନରେ ଛାତ୍ରୀମାନଙ୍କ ପାଇଁ ଆତ୍ମସୁରକ୍ଷା ତାଲିମ ଶିବିରର ଶୁଭାରମ୍ଭ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥ ମଙ୍ଗଳବାର ଏହି ତାଲିମ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ ଅବସରରେ ଅଧ୍ୟକ୍ଷା ନାରୀ ସଶକ୍ତିକରଣ ଏବଂ ବର୍ତ୍ତମାନ ସମୟରେ ଆତ୍ମସୁରକ୍ଷା ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଶକ୍ତିଶ୍ରୀ ସଂଯୋଜିକା ଶ୍ରୀମତୀ ସରିତାରାଣୀ ପ୍ରଧାନ ଛାତ୍ରୀମାନଙ୍କ ନିମନ୍ତେ ଏହି ତାଲିମର ଆବଶ୍ୟକତା ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ଇତିହାସ ବିଭାଗର ଅଧ୍ୟାପିକା ଶ୍ରୀମତୀ କୁନ୍ତଳା ସାହୁ, ଶିକ୍ଷା ବିଭାଗର ଅଧ୍ୟାପିକା ଡ. ଚନ୍ଦ୍ରିକା ଭୋଇ ଓ ଇଂରାଜୀ ବିଭାଗର ଅଧ୍ୟାପିକା ଶ୍ରୀମତୀ ଲୋପାମୁଦ୍ରା ନାୟକ ଉପସ୍ଥିତ ରହି ତାଲିମ ଶିବିରର ଉପଯୋଗିତା ସମ୍ପର୍କରେ ମତ ରଖିଥିଲେ । ଛଅ ଦିନିଆ ଏହି ତାଲିମ ଶିବିରରେ ମାଷ୍ଟର ଟ୍ରେନର ସୁଶ୍ରୀ ନମ୍ରତା ତାଣ୍ଡି ଓ ସୁଶ୍ରୀ ଶୃତି ମହାନ୍ତି ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ସମ୍ବନ୍ଧୀୟ ପ୍ରଶିକ୍ଷଣ ପ୍ରଦାନ କରିବେ । ଶେଷରେ ଶକ୍ତିଶ୍ରୀ ସାଥୀ ମଧୁମିତା ବାରିକ ଧନ୍ୟବାଦ ଜ୍ଞାପନ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ଭାବେ ପରିଚାଳିତ ହୋଇଥିଲା ।