୬ ଶିକ୍ଷକରେ ଚାଲିଛି ଗୁଡ଼ଭେଲା ପିଏମ୍‌ଶ୍ରୀ ୟୁପି ସ୍କୁଲ : ଶିକ୍ଷକ ପଦ ପୂରଣ ନହେଲେ ତାଲା ବନ୍ଦ ଚେତାବନୀ

csstore

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାର ଉପାନ୍ତ ଅଞ୍ଚଳ ଭାବେ ଜଣାଶୁଣା ଗୁଡ଼ଭେଲା ବ୍ଲକରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ମୌଳିକ ଶିକ୍ଷା ବ୍ୟବସ୍ଥା। ଗୁଡ଼ଭେଲା ସ୍ଥିତ ପିଏମ୍‌ଶ୍ରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ କିଛି ଦିନ ପୂର୍ବେ ଜିଲ୍ଲା ଶିକ୍ଷା ଅଧିକାରୀ ପରିଦର୍ଶନରେ ଯାଇଥିଲେ । କାର୍ଯ୍ୟରେ ଅବହେଳା ଓ ପ୍ରଶାସନିକ ଦାୟିତ୍ଵ ସଠିକ ଭାବେ ପରିଚାଳନା କରୁନଥିବା ଅଭିଯୋଗରେ ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ଭୋଇଙ୍କୁ ନିଲମ୍ବିତ କରାଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ସୁଧାଂଶୁ ଶେଖର ମିଶ୍ର ଗସ୍ତ ସାରି ଫେରିବା ପରେ ଗୁଡ଼ଭେଲା ବ୍ଳକ୍ ଶିକ୍ଷାଧିକାରୀ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡ଼ିଛି । ଜିଲ୍ଲା ଶିକ୍ଷାଧିକାରୀଙ୍କ ଗସ୍ତ ଓ ବ୍ଲକ୍ ଶିକ୍ଷାଧିକାରୀଙ୍କ କାଂର୍ଯ୍ୟାନୁଷ୍ଠାନ ପରେ ଗୁଡ଼ଭେଲା ବ୍ଲକ୍ ଶିକ୍ଷକଙ୍କ ମଧ୍ୟରେ ଛନକା ପଶିଛି । ବର୍ତ୍ତମାନ ଡେପୁଟେସନ୍‌କୁ ନେଇ ପ୍ରଶ୍ନ ଉଠିଛି । କର୍ମଚାରୀଙ୍କ ଡେପୁଟେସନ୍ ଖେଳ ଯୋଗୁଁ ଛାତ୍ରଛାତ୍ରୀଙ୍କ ତୁଳନାରେ କମ୍ ରହୁଛନ୍ତି ଶିକ୍ଷକ ବ୍ଲକ୍ ଶିକ୍ଷାଧିକାରୀଙ୍କ ନାକ ତଳେ ଥିବା ପିଏମ୍‌ ଶ୍ରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଦେଖିଲେ ବାରି ହେଉଛି ଶିକ୍ଷା ବିଭାଗର ଅସହାୟତା । ଏହି ବିଦ୍ୟାଳୟରେ ଅଞ୍ଚଳର ଶିକ୍ଷାର୍ଥୀମାନଙ୍କୁ ପାଇଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ଶିକ୍ଷକ ସଂଖ୍ୟା କାଗଜପତ୍ରରେ ୧୦ ହେଲେ ବାସ୍ତବରେ ଅଛନ୍ତି ମାତ୍ର ୬ଜଣ । ଦୁଇ ଜଣଙ୍କୁ ବ୍ଲକ୍ ଭିତରେ ଓ ଜଣକୁ ବ୍ଲକ୍ ବାହାରକୁ ଡେପୁଟେସନ୍ ହୋଇଥିବା ବେଳେ ଏବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିବା ପରେ ଶିକ୍ଷାଦାନରେ ତା’ର ପ୍ରଭାବ ଦେଖିବାକୁ ମିଳିଛି । ୩ଦିନ ମଧ୍ୟରେ ଶିକ୍ଷକ ସମସ୍ୟା ଦୂର ନହେଲେ ବ୍ଳକ୍ ରାସ୍ତାକୁ ବନ୍ଦ କରି ସ୍କୁଲ ଗେଟ୍‌ରେ ତାଲା ଦିଆଯିବ ବୋଲି ଗୁଡ଼ଭେଲା ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ପ୍ରକାଶ ଯେ, ବିଗତ ୨ ବର୍ଷ ବ୍ଲକ୍ ଶିକ୍ଷାଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଗୁଡ଼ଭେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପିଏମ୍‌ଶ୍ରୀ ମାନ୍ୟତା ପାଇଥିଲେ ବି ପାଠପଢ଼ାରେ ପଛେଇ ଯାଇଛି । ବିଦ୍ୟାଳୟରେ ୧୮୩ଜଣ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଥିବା ବେଳେ ଶିକ୍ଷାଦାନ ପାଇଁ ଅଛନ୍ତି ମାତ୍ର ୬ଜଣ ଶିକ୍ଷକ ଶିକ୍ଷାଦାନରେ ବାଧାସୃଷ୍ଟି ହେଉଥିବାରୁ ଅଭିଭାବକ ମହଲରେ ଚିନ୍ତାର ବିଷୟ ହୋଇଛି । ବିଦ୍ୟାଳୟର ୩ ଜଣ ଶିକ୍ଷକଙ୍କୁ ଡେପୁଟେସନ୍‌ରେ ଅନ୍ୟ ବିଦ୍ୟାଳୟକୁ ନିଯୁକ୍ତି ଦିଆଯାଇଛି । ତେବେ ଶିକ୍ଷକ ସଦାନନ୍ଦ ପ୍ରଧାନୀଙ୍କୁ ସିଆର୍‌ସିସି ଭାବେ ନିଯୁକ୍ତି, ଥବିର ରାଉତଙ୍କୁ ଦୁଲିକନା ଓ ଲଳିତା ସାହୁଙ୍କୁ ବ୍ଳକ୍ ବାହାର ଅର୍ଥାତ ବଲାଙ୍ଗିର ସାଲେପାଲି ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନ୍‌ରେ ନିଆଯାଇଛି । ସେମାନଙ୍କ ବଦଳରେ କେହି ଶିକ୍ଷକ ଆସିନାହାନ୍ତି । ଯାହାଫଳରେ ସ୍କୁଲ ପରିଚାଳନା କମିଟି ଏବଂ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟରେ ମାତ୍ର ୬ଜଣ ଶିକ୍ଷକରେ ଶିକ୍ଷାଦାନ ଯୋଗୁଁ ଶିକ୍ଷାକ୍ଷେତ୍ରରେ ବହୁ ଅବହେଳା ହେଉଛି । ନାମକୁ ମାତ୍ର ପିଏମ୍‌ଶ୍ରୀ ବିଦ୍ୟାଳୟ ବୋଲି ଘୋଷଣା ପାଠପଢ଼ାରେ ସରକାର ଧ୍ୟାନ ଦେଉ ନାହାନ୍ତି ବୋଲି ଅଭିଯୋଗ ହେଉଛି । ଆସନ୍ତା ୩ ଦିନ ମଧ୍ୟରେ ୪ଜଣ ଶିକ୍ଷକଙ୍କୁ ନିଯୁକ୍ତି ନଦେଲେ ଅଭିଭାବକ ସଂଘ ଓ ସ୍କୁଲ ପରିଚାଳନା କମିଟି ବିଦ୍ୟାଳୟରେ ତାଲାବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.