
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ବରିଆଲି ଗାଁରେ ଏକ ହୃଦୟବିଦାରକ ଘଟଣା ଘଟିଛି । ଘର ବାହାରେ ଖେଳୁଥିବା ବେଳେ ନରେନ୍ଦ୍ର ମାଝୀଙ୍କ ୨ ବର୍ଷୀୟ ପୁଅ ଲୁକେଶ୍ୱର ମାଝୀଙ୍କୁ ଏକ ନାଗ ସାପ କାମୁଡ଼ି ଦେଇଥିଲା । ସାପ କାମୁଡ଼ିବା ପରେ ଶିଶୁଟି ଜୋରରେ ଚିତ୍କାର କରିଥିଲା । ଚିତ୍କାର ଶୁଣି ପରିବାର ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ କାବୁ କରିଥିଲେ । ଏହାପରେ ଗୁରୁତର ଅବସ୍ଥାରେ ଲୁକେଶ୍ୱରଙ୍କୁ ତୁରେକେଲା ହସ୍ପିଟାଲକୁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ତୁରେକେଲା ପୋଲିସ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ଶବ ବ୍ୟବଚ୍ଛେଦ କରାଯାଇଛି ।