
ଟିଟିଲାଗଡ଼, (କେପିଏନ୍ଏସ୍) : ଉତ୍କଳ ବଣିକ ସଂଘ ପକ୍ଷରୁ ଟିଟିଲାଗଡ଼ରେ ଆସନ୍ତା ୧୭ ତାରିଖ ଦିନ ଏକ ସାଧାରଣ ସଭାର ଆହ୍ୱାନ କରାଯାଇଛି । ସଂଘ ପକ୍ଷରୁ କୁହାଯାଇଛି ଯେ, ଉତ୍କଳ ବଣିକ ସଂଘ ବ୍ୟବସାୟୀମାନଙ୍କ ଏକତା, ସହଯୋଗ, ସମ୍ମାନ ଓ ସ୍ୱାର୍ଥର ସୁରକ୍ଷା ନିମନ୍ତେ ସମର୍ପିତ ଏକ ସଂଗଠନ । ଏହି ସଂଘରେ କେବଳ ପ୍ରକୃତ ବ୍ୟବସାୟୀମାନଙ୍କୁ ସଦସ୍ୟା ପ୍ରଦାନ କରାଯିବ । ଏହା ମଧ୍ୟ କୁହାଯାଇଛି ଯେ, ଏହା କୌଣସି ରାଜନୈତିକ ସଂଗଠନ ନୁହେଁ, ଏପରିକି ଏହା କାହାରି ବ୍ୟକ୍ତିଗତ ସଂଗଠନ ନୁହେଁ ବରଂ ସମସ୍ତ ବ୍ୟବସାୟୀଙ୍କ ସାମୂହିକ ମଞ୍ଚ । ସଂଘର ପ୍ରତ୍ୟେକ ନିଷ୍ପତ୍ତି ସମସ୍ତ ସଦସ୍ୟଙ୍କ ମତାମତ ଓ ସହମତି ଆଧାରରେ ଗ୍ରହଣ କରାଯିବ । ତେବେ ଟିଟିଲାଗଡ଼ ବ୍ୟବସାୟୀ ସମାଜ ଏକ ସମୟରେ ସମଗ୍ର ଓଡ଼ିଶାରେ ନିଜର ସମ୍ମାନ ଓ ପରିଚୟ ପାଇଁ ପ୍ରସିଦ୍ଧି ଲାଭ କରିଥିବା ବେଳେ ସେହି ଗୌରବ, ଏକତା ଓ ସମ୍ମାନକୁ ପୁନଃଜୀବିତ କରିବା ଏହି ସଂଘର ଲକ୍ଷ୍ୟ ବୋଲି କୁହାଯାଇଛି । ଆଗାମୀ ୧୭ ତାରିଖ ଦିନ ଆୟୋଜିତ ହେବାକୁ ଥିବା ସାଧାରଣ ସଭାରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।