jayashree

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ : ଯୋଗଦେଲେ ମନ୍ତ୍ରୀ ରବି ନାଏକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ରାଜ୍ୟର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତଙ୍କୁ ସାମିଲ କରାଯାଇ ସେମାନଙ୍କର ମୁଣ୍ଡପିଛା ୫ କିଲୋଗ୍ରାମ ଅତିରିକ୍ତ ଚାଉଳ ଦିଆଯିବ । ଚାଉଳର ପରିମାଣ ୫ କିଲୋଗ୍ରାମରୁ ୧୦ କିଲୋଗ୍ରାମକୁ ବୃଦ୍ଧି କରାଯାଇଛି । ମାଗଣାରେ ମୁଣ୍ଡ ପିଛା ୧୦ କେଜି ଚାଉଳ ଦିଆଯିବ ଏବଂ ଏହି ଯୋଜନା ଚଳିତ ବର୍ଷ ଏପ୍ରିଲରୁ ଲାଗୁ ହେବ । ଏହି ଅବସରରେ ସୁବର୍ଣ୍ଣପୁରରେ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗଦେଇ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରିଥିଲେ । ଆଜି ସୁବର୍ଣ୍ଣପୁରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅଧୀନରେ ୧,୫୬,୬୦୫ ଜଣ କାର୍ଡଧାରୀ ଏହାର ଲାଭ ପାଇପାରିବେ । ମୋଟ ୫ ଲକ୍ଷ ୨ ଶହ ୮୯ ଜଣ ସଦସ୍ୟ ଏହା ଦ୍ୱାରା ଉପକୃତ ହେବେ । ଟାଉନ ହଲ୍‌ରେ ୧୦ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର କାର୍ଡ ପ୍ରଦାନ କରାଯାଇଥିଲା । ସୁବର୍ଣ୍ଣପୁରରେ ଏହି ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗର ‘ପୋଷଣ ଯୋଜନା’ ଅଧୀନରେ ୧୦ ଜଣ ଅଙ୍ଗନବାଡ଼ି ଦିଦିଙ୍କୁ ସ୍ମାର୍ଟଫୋନ ବଣ୍ଟନ କରାଯାଇଥିଲା । ଜିଲ୍ଲାରେ ୧୬୧୯ ଜଣ ଅଙ୍ଗନବାଡ଼ି କର୍ମୀ, ବ୍ଲକ ସୁପରଭାଇଜର ଓ ବ୍ଲକ ପୋଷଣ ସଂଯୋଜକଙ୍କୁ ସ୍ମାର୍ଟଫୋନ ପ୍ରଦାନ କରାଯିବ । ମନ୍ତ୍ରୀ ଶ୍ରୀ ନାଏକ କହିଥିଲେ ଯେ, ଆମେ ବିଗତ ବର୍ଷ ଗୁଡ଼ିକରେ ଦାରିଦ୍ର୍ୟତା ଦେଖିଛୁ, ଆମେ ଶିଶୁ ବିକ୍ରି ଦେଖିଛୁ, ଆମେ ଅପପୁଷ୍ଟି ଦେଖିଛୁ; ହେଲେ ବର୍ତ୍ତମାନର ସରକାର ସେସବୁକୁ ଏକ ପୂର୍ଣ୍ଣଛେଦ ଦେବ । ଏହି ସମସ୍ତ ପଦକ୍ଷେପ କେନ୍ଦ୍ର ସରକାରଙ୍କ ସ୍ୱପ୍ନ ‘ଆତ୍ମନିର୍ଭର ଭାରତ-୨୦୪୭’ ସାକାର କରିବାରେ ସହାୟକ ହେବ । ଏହି ଅବସରରେ ଖୋର୍ଦ୍ଧାରୁ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ଅନ୍ନପୂର୍ଣ୍ଣା ଯୋଜନା ଏକ ସାମାଜିକ ନିବେଶ । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ସମୃଦ୍ଧ ଚାଷୀ ଓ ବିକଶିତ ପରିବାର । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଓଡ଼ିଶାର କେହି ଭୋକିଲା ଶୋଇବେ ନାହିଁ ଏବଂ କୌଣସି ଶିଶୁ ଅପପୁଷ୍ଟିର ଶିକାର ହେବେ ନାହିଁ । ଏହି ଅବସରରେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା, ସାଂସଦଙ୍କ ପ୍ରତିନିଧି ସାନନ୍ଦ କୁମାର ମେହେର, ସାମାଜିକ କର୍ମୀ ବେଣୁଧର ଦାସ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଶ୍ୱିନୀ ମେହେର ଏବଂ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ନିରଦ ରଞ୍ଜନ ଦାସ ଉପସ୍ଥିତ ଥିଲେ । ଶେଷରେ ମନ୍ତ୍ରୀ ସମସ୍ତଙ୍କୁ ରଜର ଶୁଭେଚ୍ଛା ଜଣାଇଥିଲେ ।

Leave A Reply

Your email address will not be published.