jayashree

ଜିଲ୍ଲା ଲେଖକ ସାମ୍ମୁଖ୍ୟର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ମଧୂସଦନ ପାଠାଗାର ଛେଣ୍ଡ ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଗାଳ୍ପିକ ଭୂପେନ ମହାପାତ୍ରଙ୍କ ସଭାପତିତ୍ୱ ଓ କବି ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି ସଭାରେ, ଆମ ସାହିତ୍ୟରେ ସାମ୍ୟବାଦର ଚିନ୍ତାଧାରା ଶୀର୍ଷକରେ ଆଲୋଚନା କରିବାକୁ ଯାଇ ମୁଖ୍ୟବକ୍ତା ଆଇନଜୀବୀ ସୁଶିଲ କୁମାର ଜେନା କହିଲେ ଶ୍ରେଣୀହୀନ ସମାଜ ଗଠନ ଏବଂ ସାମାଜିକ ନ୍ୟାୟ ପ୍ରତିପାଦନ ହେଉଛି ସାମ୍ୟବାଦ ସାହିତ୍ୟର ମୂଳଲକ୍ଷ୍ୟ । ସାଧାରଣ ମଣିଷ, ଚାଷୀ ଓ ମୂଲିଆଙ୍କ ଜୀବନ ଚର୍ଜାକୁ ମୂଳାଧାର କରି ଆମ ପ୍ରଗତିବାଦୀ ସାହିତ୍ୟିକମାନେ ଅନେକ ଗଳ୍ପ, କବିତା ଓ ଉପନ୍ୟାସ ରଚନା କରି ଯାଇଛନ୍ତି । ମୁଖ୍ୟଅତିଥି ଭାବେ ଡ. ନାରାୟଣ ସନାପତି ତାଙ୍କ ବକ୍ତବ୍ୟରେ କହିଲେ ୧୯୩୬ ମସିହାରେ ଭଗବତୀ ଚରଣ ପାଣିଗ୍ରାହୀଙ୍କ ପ୍ରତିଷ୍ଠିତ ନବଯୁଗ ସାହିତ୍ୟ ସଂସଦର ମୁଖପତ୍ର ଆଧୁନିକରୁ ସାମ୍ୟବାଦର ଯୁଗ ଆରମ୍ଭ ହୋଇ କବି ଅନନ୍ତ ପଟ୍ଟନାୟକ, କବି ସଚ୍ଚି ରାଉତରାୟ, କବି ମନମୋହନ ମିଶ୍ର, ଗୋଦାବରୀଶ ମହାପାତ୍ର, ରବି ସିଂଙ୍କ ଲେଖନୀରେ ଧନୀ ଦରିଦ୍ର ମଧ୍ୟରେ ଥିବା ତାରତମ୍ୟକୁ ବିରୋଧ କରାଯାଇଛି । ଅନ୍ୟତମ ସମ୍ମାନନୀୟ ବକ୍ତା ଇଂ. ଅଭୟ କୁମାର ଦାସ କହିଲେ ବର୍ତ୍ତମାନ ସମୟ ଆସିଛି ଲେଖକ ଲେଖିକାମାନ ପୁଞ୍ଜିବାଦ ବିରୋଧରେ ଓ ଶୋଷଣ ମୁକ୍ତ ସମାଜ ଗଠନ କରିବ ଦିଗରେ ଲେଖନୀ ମାଧ୍ୟମରେ ମୁଖ୍ୟ ଭୂମିକା ଗ୍ରହଣ କରିବା ଉଚିତ୍ । ଏହି ଅବସରରେ ସହରର ଗାଳ୍ପିକ ଆର୍ତ୍ତତ୍ରାଣ ମହାପାତ୍ର ‘ଏଠି ଗୋଟେ ଗାଁ ଥିଲା’ ଶୀର୍ଷକରେ ଏକ ଗଳ୍ପ ପାଠ କରିଥିଲେ । ଆଲୋଚନା ପ୍ରାରମ୍ଭରେ କମ୍ରେଡ ବିଷ୍ଣୁ ମହାନ୍ତିଙ୍କ ଆତ୍ମାର ଶାନ୍ତି ପାଇଁ ଦୁଇ ମିନିଟି ନୀରବ ପ୍ରାର୍ଥନା କରାଯାଇଥିଲା । କବି ନିରୁପମା ନାୟକ ମଞ୍ଚ ପରିଚାଳନା କରିଥିଲା ବେଳେ କବି ସୁଶାନ୍ତ କୁମାର ନାୟକ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ବିଶିଷ୍ଟ ସାହିତ୍ୟିକା ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସଭାପତିତ୍ୱ ଓ କବି ସୁଚିସ୍ମିତା ପଣ୍ଡାଙ୍କ ସଂଯୋଜନାରେ କବି ଉପେନ୍ଦ୍ର ବସ୍ତିଆ, ବଳରାମ ଦାଶ, ଜ୍ଞାନ ରଂଜନ ମିଶ୍ର, ଦେବେନ୍ଦ୍ର ବଳ, ସଂଗ୍ରାମ ସାମଲ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ପ୍ରତାପ କୁମାର ପଣ୍ଡା, କୁଞ୍ଜ ବିହାରୀ ରାଉତ ପ୍ରମୁଖ କବି କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଶୁପତି ନାଥ ଚାଟାର୍ଜୀ, ବ୍ରଜ କିଶୋର ପାଣି, ଲକ୍ଷ୍ମଣ କୁମାର ଦାସ, ସୂର୍ଯ୍ୟନାରାୟଣ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପାଠାଗାରର ସମ୍ପାଦକ ବିଜୟ କୁମାର ବରାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.