jayashree

ସୁବର୍ଣ୍ଣପୁର ପୋଲିସର ଚଢ଼ାଉ : ବିପୁଳ ପରିମାଣର ଗଞ୍ଜେଇ, କଫ ସିରଫ ଓ ୨ ଗୋଟି ପିସ୍ତଲ ସହ ୭ ଅଭିଯୁକ୍ତ ଗିରଫ

  • ମାଫିଆ ଡ଼ାକିଲେଣି ତ୍ରାହି ତ୍ରାହି

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ପୋଲିସକୁ ନିଶା ମୁକ୍ତ ଅଭିଯାନରେ ପୁଣି ସଫଳତା ମିଳିଛି । ଜିଲ୍ଲାର ସୋନପୁର ଓ ବୀରମହାରାଜପୁର ଥାନା ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ, କଫ ସିରଫ, ୨ ଗୋଟି ବନ୍ଧୁକ ସହ ନଗଦ ୪ ଲକ୍ଷ ୬୪ ହଜାର ଟଙ୍କା ଜବତ ଏବଂ ୭ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ ଏବଂ ୩ ଗୋଟି ଏନ୍‌ଡିପିଏସ୍‌ ମାମଲା ରୁଜୁ ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ଏନେଇ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍‌ପି ନାରାୟଣ ନାୟକ । ଗତକାଲି ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବୀରମହାରାଜପୁର ଥାନା ଅଧିକାରୀ ଯଯାତି କେଶରୀ ସାହୁଙ୍କ ନେତୃତ୍ୱରେ ପୋଲିସ ଟିମ୍ ବୀରମହାରାଜପୁରର ଲାତୁରପେଟ ଖେଳପଡ଼ିଆରେ ଚଢାଉ କରି ବେଆଇନ ନିଶା କାରବାରରେ ଲିପ୍ତ ଥିବା ୩ ଜଣ ଯୁବକ କମଲପୁର ଗ୍ରାମର ଜୟରାମ ଭରାସାଗର(୩୮), ବାଘମାରି ଗ୍ରାମର ଚନ୍ଦ୍ର ଶେଖର ସିଂହ(୨୬) ଏବଂ ସୋନପୁରର ଶିବାଶିଷ ଖପରଧୂଆ(୩୨)ଙ୍କ ନିକଟରୁ ୨ କେଜି ୯୨୦ ଗ୍ରାମ ଗଞ୍ଜେଇ, ୧୨୯ ବୋତଲ ୱିନସେରେକ୍ସ କଫ ସିରପ, ଗୋଟିଏ ଦେଶୀ ନିର୍ମିତ ୭.୬୫ ପିସ୍ତଲ, ପାଞ୍ଚଟି ୭.୬୫ ଜୀବନ୍ତ ଗୁଳି, ୧ ଲକ୍ଷ ୧୪ ହଜାର ୧୫୦ ଟଙ୍କା, ୨ ଗୋଟି ମୋଟର ସାଇକେଲ ଏବଂ ପାଞ୍ଚ ଗୋଟି ମୋବାଇଲ ଫୋନ୍ ଜବତ କରିଥିଲେ । ଏନେଇ ଥାନାରେ ୧୩୬/୨୦୨୬ରେ ଏକ ମାମଲା ରୁଜୁ କରାଯାଇ ୩ ଅଭିଯୁକ୍ତକୁ ଗିରଫ କରଯାଇଛି । ସେହିପରି ସୋନପୁର ସଦର ପଟାଭାଡ଼ି ଅଞ୍ଚଳରେ ନିଶା ବ୍ୟବସାୟ ସମ୍ପର୍କରେ ସୂଚନା ପାଇ ଆଇଆଇସି ଯାଦବ ବାଗଙ୍କ ନେତୃତ୍ୱରେ ପୋଲିସ ଟିମ୍ ଶଶାଙ୍କ ଶେଖର ମିଶ୍ରଙ୍କ ଘରେ ଚଢାର କରି ୧୬୪ ଗୋଟି ୧୦୦ ଏମଲ ବିଶିଷ୍ଟ କଫ ସିରଫ ଏବଂ ୫୦ ଗୋଟି ଖାଲି ଥିବା ବୋତଲ ଠାବ କରିଥିଲା ପରେ ତନଖି ସମୟରେ ଘରୁ ନଗଦ ୩ ଲକ୍ଷ ୫୦ ହଜାର ଟଙ୍କା, ୨ କେଜି ୯୦୦ ଗ୍ରାମ ଗଞ୍ଜେଇ, ଏକ ଏୟାର ପିସ୍ତଲ, ଷ୍ଟେଟ ୟୁନିଅନ ଅଫ ଜର୍ନାଲିଷ୍ଟ ର ପ୍ରେସ କାର୍ଡ ଏବଂ ଅନ୍‌ଲାଇନ ପେମେଣ୍ଟ ସ୍କାନର ମିଳିଥିଲା । ଚଢାଉ ସମୟରେ ଏସ୍‌ପି ନାରାୟଣ ନାୟକ ଉପସ୍ଥିତ ରହି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲେ । ଏବଂ ଏହି ମାମଲାରେ ଆଉ ଜଣେ ଯୁବକ ବିନିକା ଥାନା ସଂସମୁରାର ହିରୋଜ ନାଗ(୨୨)କୁ ମଧ୍ୟ ଗିରଫ କରଯାଇଛି । ଅନ୍ୟ ୨ ଯୁବକକୁ ପୋଲିସ ଖୋଜୁଥିବା ବେଳେ ଅଧୀନ ତଦନ୍ତ ଜାରି ରହିଛି । ଏନେଇ ସୋନପୁର ଥାନାରେ ଏକ ମାମଲା ୧୯୭/୨୬.୦୫.୨୬ ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ଏସ୍‌ପି । ସେହିପରି ଅନ୍ୟ ଏକ ମାମଲାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ସୋନପୁର ଥାନା ପୋଲିସ ବୌଦ୍ଧ ଜିଲ୍ଲା କଣ୍ଟାମାଲ ପାର୍ଶ୍ବରୁ ସମ୍ବଲପୁର ଅଞ୍ଚଳକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ପୋଲିସ ଟୀମ ଅର୍ଜୁନ ରିସୋର୍ଟ ସମ୍ମୁଖରେ ମାଡ଼ି ବସିଥିଲା । ଟାଟା ସୁମୋ ଗୋଲ୍ଡ ଗାଡି ଯାହାର ନମ୍ୱର ଓଡ଼ି୨୩ ୩୧୮୪ ଗାଡିକୁ ଯାଞ୍ଚ କରିବାରୁ ଅଭିନବ ଉପାୟରେ ଗାଡ଼ି ତଳପଟୁ ସିକ୍ରେଟ୍ ଚ୍ୟାମ୍ବର୍ କରି ଚାଲାଣ କରୁଥିବା ୨୯ କେଜି ୨୩୦ ଗ୍ରାମ ଗଞ୍ଜେଇ ମିଳିଥିଲା । ଗାଡିରେ ଥିବା ସମ୍ୱଲପୁର ଧନୁପାଲି ଥାନା ଅଞ୍ଚଳର ଏମ.ଡି. ସରାବ(୨୬) ଓ ୱାସିଦ ଖାନ (୩୨)କୁ ଗିରଫ କରାଯିବା ସହ ସୋନପୁର ଥାନାରେ ଏକ ମାମଲା ୧୯୮/୨୬.୦୫.୨୬ ଏନ୍‌ଡ଼ିପିଏସ୍‌ ଆକ୍ଟରେ ରୁଜୁ କରାଯିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଏସ୍‌ପି । ଆଜିର ଏହି ସାମ୍ୱାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ନାୟକଙ୍କ ସହ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କେ.କେ ହରିପ୍ରସାଦ, ଏସ୍‌ଡିପିଓ କଲ୍ୟାଣୀ ବେହେରା, ସୋନପୁର ଆଇଆଇସି ଯାଦବ ବାଗ ଏବଂ ବୀରମହାରାଜପୁର ଆଇଆଇସି ଯଯାତି କେଶରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.