jayashree

ଯୁକ୍ତ ୨ ବିଜ୍ଞାନରେ କୁନ୍ତୀ ସାହୁ ପଶ୍ଚିମ ଓଡ଼ିଶା ଟପ୍ପର

  • ଓଡ଼ିଶାରେ ଦ୍ଵିତୀୟ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ଭାଲୁଡୁଙ୍ଗୁରୀ ଗ୍ରାମର କୁନ୍ତୀ ସାହୁ +୨ ବିଜ୍ଞାନରେ ୯୯.୫ ପ୍ରତିଶତ ନମ୍ବର ରଖି ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ପଶ୍ଚିମ ଓଡ଼ିଶାରେ ଟପ୍ପର ହୋଇଛନ୍ତି । ସେ ସମୁଦାୟ ୬୦୦ ନମ୍ବରରୁ ୫୯୭ ନମ୍ବର ରଖି ଏହି ସଫଳତା ହାସଲ କରିଛନ୍ତି । କୁନ୍ତୀ ସମ୍ବଲପୁର ସ୍ଥିତ ଏକ ଘରୋଇ ମହାବିଦ୍ୟାଳୟରେ ପାଠ ପଢ଼ୁଥିଲେ । ସେ ଏଥିପାଇଁ ଦୈନିକ ୧୪ରୁ ୧୫ ଘଣ୍ଟା ପରିଶ୍ରମ କରୁଥିବା ବେଳେ ତାଙ୍କର ଏହି ସଫଳତା ପାଇଁ ତାଙ୍କର ଶିକ୍ଷୟିତ୍ରୀ, ଶିକ୍ଷକ, ମାଆ ବାପାଙ୍କ ସହିତ ପରିବାରର ଅନ୍ୟ ସଦସ୍ୟ, ସାଙ୍ଗସାଥୀଙ୍କୁ ଶ୍ରେୟ ଦେଇଛନ୍ତି । ସେ ଭବିଷ୍ୟତରେ ଜଣେ ଡାକ୍ତର ହେବାର ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି । ସାଧାରଣ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ କୁନ୍ତୀ ଛୋଟବେଳୁ ପଢ଼ାଶୁଣାରେ ଅତ୍ୟନ୍ତ ମେଧାବୀ ଥିଲେ । ପ୍ରତିଦିନ ନିୟମିତ ପଢ଼ା, ଶିକ୍ଷକଙ୍କ ପରାମର୍ଶ ଓ ବାପା ମାଆଙ୍କ ଉତ୍ସାହ ତାଙ୍କୁ ଏହି ସଫଳତାର ଶୀର୍ଷରେ ପହଞ୍ଚାଇଛି । ଫଳ ପ୍ରକାଶ ପରେ ଘରକୁ ଛାତ୍ରଛାତ୍ରୀ, ପଡ଼ୋଶୀ ଓ ଶୁଭେଚ୍ଛୁମାନଙ୍କ ଭିଡ଼ ଲାଗିଥିଲା । ସମସ୍ତେ ମିଠା ଖୁଆଇ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । କୁନ୍ତୀ ବୀରମହାରାଜପୁର ବ୍ଲକ ଅମରପାଲି ହାଇସ୍କୁଲରେ ପଢୁଥିବା ବେଳେ ସେ ମାଟ୍ରିକରେ ମଧ୍ୟ ୯୦ ପ୍ରତିଶତ ନମ୍ବର ରଖିଥିଲେ । କୁନ୍ତୀଙ୍କ ବାପା ଜଗଦାନନ୍ଦ ସାହୁ ଜଣେ ଚାଷୀ ହୋଇଥିବା ବେଳେ ମାଆ ଜାହ୍ନବୀ ସାହୁ ଜଣେ ଗୃହିଣୀ ଅଟନ୍ତି । ଚାରି ଭଉଣୀ ଓ ଗୋଟିଏ ଭାଇ ମଧ୍ୟରୁ କୁନ୍ତୀ ତୃତୀୟ ଝିଅ ଅଟନ୍ତି । କୁନ୍ତୀଙ୍କ ଏହି ସଫଳତାରେ ବୀରମହାରାଜପୁର ଅଂଚଳରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।

Leave A Reply

Your email address will not be published.