
- ୨୨ଟି ମାମଲାର ତତ୍କାଳ ସମାଧାନ ଓ ୭ଟି ମାମଲାର ବିସ୍ତୃତ ତଦନ୍ତ ରିପୋର୍ଟ ତଲବ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ମାନବାଧିକାର କମିଶନ ତରଫରୁ ଆଜି ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ଏକ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି କ୍ୟାମ୍ପ କୋର୍ଟରେ କମିଶନଙ୍କ ମାନ୍ୟବର ସଦସ୍ୟ ଚିତ୍ତରଞ୍ଜନ ମହାପାତ୍ର ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଆବେଦନକାରୀମାନେ ମାନବାଧିକାର ଉଲଂଘନ ସମ୍ପର୍କିତ ନିଜନିଜର ଅଭିଯୋଗ ମାନ୍ୟବର ସଦସ୍ୟଙ୍କ ନିକଟରେ ଉପସ୍ଥାପନ କରିଥିଲେ । ଶ୍ରୀ ମହାପାତ୍ର ମୋଟ ୨୯ଟି ମାମଲାର ଶୁଣାଣୀ କରିଥିଲେ । ସେ ୨୨ଟି ମାମଲାର ତତ୍କାଳ ସମାଧାନ କରିଥିବା ବେଳେ ୭ଟି ମାମଲାର ବିସ୍ତୃତ ତଦନ୍ତ ରିପୋର୍ଟ ତଲବ କରିଥିଲେ । ଜନସାଧାରଣଙ୍କ ଦ୍ୱାରଦେଶରେ ନ୍ୟାୟ ପ୍ରଦାନ ଏବଂ ମାନବାଧିକାର ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା କ୍ୟାମ୍ପ କୋର୍ଟର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ ପ୍ରକାଶ କରିଥିଲେ ।