jayashree

ଦୁର୍ନୀତିକାରୀ ଏମ୍‌ଡିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ସମବାୟ ସମିତି ଲ୍ୟାମ୍ପରେ ହୋଇଥିବା କୋଟି କୋଟି ଟଙ୍କାର ଅର୍ଥ ହେରଫେର ଘଟଣାରେ ନୂଆମୋଡ଼ । ଲ୍ୟାମ୍ପର ମ୍ୟାନେଜିଂ ଡାଇରେକ୍ଟର ତାରିଣୀ ପ୍ରସାଦ ତ୍ରିପାଠୀଙ୍କ ଜିଲୁଣ୍ଡା ସ୍ଥିତ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ପୂର୍ବରୁ ବିଭାଗୀୟ ତଦନ୍ତରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତାର ଅଭିଯୋଗ ସାମ୍ନାକୁ ଆସିଥିଲା । ସୂଚନା ଅନୁସାରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସମବାୟ ସମିତିର ମ୍ୟାନେଜିଂ ଡାଇରେକ୍ଟର ତାରିଣୀ ପ୍ରସାଦ ତ୍ରିପାଠୀଙ୍କ ଜିଲୁଣ୍ଡା ସ୍ଥିତ ଘରେ ଛଅ ଜଣିଆ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ଲ୍ୟାମ୍ପରେ ବ୍ୟାପକ ଅର୍ଥ ହେରଫେର ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ବିଭାଗୀୟ ତଦନ୍ତ ରିପୋର୍ଟ ଅନୁଯାୟୀ, ୩୩ ଜଣ ଚାଷୀଙ୍କ ଅଜାଣତରେ ୨୮ ଲକ୍ଷ ୨୯ ହଜାର ଟଙ୍କା ଉଠାଯାଇଥିବା ଏବଂ ନିଜ ପରିବାର ସଦସ୍ୟଙ୍କ ନାମରେ ୭୫ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ହଡପ କରାଯାଇଥିବା ଉଲ୍ଲେଖ ରହିଛି । ସେହିପରି ଏମ୍‌ଡି ତ୍ରିପାଠୀଙ୍କ ମିନି ବ୍ୟାଙ୍କ ଆକାଉଣ୍ଟରୁ ୨୮ ଲକ୍ଷ ୨୯ ହଜାର ଟଙ୍କା, ଭାଇଙ୍କ ନାମରେ ୧୪ ଲକ୍ଷ ୨୧ ହଜାର, ବାପାଙ୍କ ନାମରେ ୩ ଲକ୍ଷ ୬୫ ହଜାର, ସ୍ତ୍ରୀ ଓ ଅନ୍ୟ ସମ୍ପର୍କୀୟଙ୍କ ନାମରେ ୬ ଲକ୍ଷ ୬୫ ହଜାର ଏବଂ ନିଜ ନାମରେ ୨୨ ଲକ୍ଷ ଟଙ୍କା ହିସାବରକ୍ଷକଙ୍କ ଅଜାଣତରେ ବ୍ୟାଙ୍କରୁ ଉଠାଯାଇଥିବା ବିଭାଗୀୟ ତଦନ୍ତରୁ ଜଣାପଡ଼ିଛି । ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ବଢ଼ିଥିବା ବେଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.