
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସଭାଗୃହ ଠାରେ ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ବାଲ୍ୟବିବାହ ନିରାକରଣ ପାଇଁ ବ୍ଲକସ୍ତରୀୟ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ସୋନପୁର ସିଡିପିଓ ସାଗରିକା ସ୍ଵାଇଁଙ୍କ ସଭାପତିତ୍ୱରେ ଆୟୋଜନ ଏହି ବୈଠକରେ ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହ୍ଲାଦ ନାଏକ, ବ୍ଲକ ଉନ୍ନୟନ ଅଧିକାରୀ ପ୍ରତୀକ କର, ଡିଏସପି ରେଣୁକା ସୁନା, ଏବିଇଓ କୃଷ୍ଣଚନ୍ଦ୍ର ପଣ୍ଡା, ଡିସିପିଓ ଅଫିସ ଷ୍ଟାଫ୍, ଯୋଗଦାନ କରିଥିଲେ । ଡିଏସ ପି ରେଣୁକା ସୁନା ବାଲ୍ୟ ବିବାହ ଆଇନ ଓ ଦଣ୍ଡବିଧାନ ଉପରେ ବିସ୍ତାର ଭାବେ ଆଲୋଚନା କରିବା ସହ ଧାରଣା ଦେଇଥିଲେ । ସିଡିପିଓ ସାଗରିକା ସ୍ଵାଇଁ ବାଲ୍ୟ ବିବାହର କୁପରିଣାମ ବିଷୟରେ କହିଥିଲେ । ବାଲ୍ୟ ବିବାହକୁ କିପରି ଆମେ ଦୂର କରିପାରିବା ଓ ଏଥିପାଇଁ ଆମେ କେଉଁ ପନ୍ଥା ଅବଲମ୍ବନ କଲେ ଲୋକମାନେ ବାଲ୍ୟବିବାହ ନ କରିବା ପାଇଁ ସଚେତନ ହୋଇ ପାରିବେ ସେହି ସଂପର୍କରେ ଆଲୋଚନା କରାଯାଇଥିଲା । ଉପସ୍ଥିତ ଥିବା ବିଭିନ୍ନ ଅଞ୍ଚଳର ୱାର୍ଡମେମ୍ବର, ସରପଞ୍ଚ, ପ୍ରିଣ୍ଟିଙ୍ଗ ପ୍ରେସ୍ ମାଲିକ, ଜ୍ୟୋତିଷ, ଟେଣ୍ଟ ହାଉସ କର୍ମକର୍ତ୍ତା, ଅଙ୍ଗନୱାଡି କର୍ମୀ, ମନ୍ଦିର ପୂଜକ କମିଟିର ସଦସ୍ୟ, ପିଆରଆଇ ମେମ୍ବର ବାଲ୍ୟ ବିବାହ ଦୂରୀକରଣରେ ତାଙ୍କର ଭୂମିକା ସଂପର୍କରେ କହିଥିଲେ । ପରେ ନିଜ ବ୍ଲକକୁ ବାଲ୍ୟବିବାହ ମୁକ୍ତ କରିବା ପାଇଁ ଶପଥ ନେଇଥିଲେ । ଶେଷରେ ରୋଜିସ୍ମିତା ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।