jsm

ଖପ୍ରାଖୋଲରେ ଜିଲ୍ଲାପାଳ–ଏସପିଙ୍କ ମିଳିତ ଜନଶୁଣାଣି : ୭୨ ଅଭିଯୋଗ ଦାଖଲ

csstore

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସାଧାରଣ ଲୋକଙ୍କ ସମସ୍ୟାକୁ ସିଧାସଳଖ ଶୁଣି ତ୍ୱରିତ ସମାଧାନ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ବ୍ଲକ ସଭାଗୃହରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମଟି ଗମ୍ଭୀର ଓ ସୁସଂଗଠିତ ପରିବେଶରେ ହୋଇଥିବା ବେଳେ ସ୍ଥାନୀୟ ଲୋକମାନେ ବଡ଼ ସଂଖ୍ୟାରେ ଯୋଗଦେଇ ନିଜ ଅଭିଯୋଗ ଓ ଦାବି ଉପସ୍ଥାପନ କରିଥିଲେ । ଜନଶୁଣାଣିରେ ମୋଟ ୭୨ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ସେଥି ମଧ୍ୟରୁ ୪୦ଟି ସାର୍ବଜନୀନ ଓ ୩୨ଟି ବ୍ୟକ୍ତିଗତ ମାମଲା ଥିଲା । କିଛି ଅଭିଯୋଗକୁ ସଙ୍ଗେସଙ୍ଗେ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ମାମଲା ସମ୍ପର୍କିତ ବିଭାଗକୁ ଶୀଘ୍ର ତଦନ୍ତ ଓ ଆବଶ୍ୟକୀୟ କାର୍ଯ୍ୟବାହୀ ପାଇଁ ପଠାଯାଇଛି । ଜିଲ୍ଲାପାଳ ଅଭିଯୋଗ ଗୁଡ଼ିକୁ ଗଭୀରତାର ସହ ଶୁଣି ନିଷ୍ପକ୍ଷ ଓ ସମୟବଦ୍ଧ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଜିଲ୍ଲା ନିର୍ବାହୀ ଅଧିକାରୀ ତରଣୀ ସୁନା, ଉପଜିଲ୍ଲାପାଳ ସୁନୀଲ ମେହେର, ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ତହସିଲଦାର ଆନନ୍ଦ ଚନ୍ଦ୍ର ପଣ୍ଡା, ଏସଡିପିଓ ସଦାନନ୍ଦ ପୁଝାରୀ, ଅତିରିକ୍ତ ତହସିଲଦାର ସତ୍ୟସୁନ୍ଦର ରାଉତରାୟ, ସହକାରୀ ଯନ୍ତ୍ରୀ ରାଜକିଶୋର ନାଏକ ସହ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଜନଶୁଣାଣି ମାଧ୍ୟମରେ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ସଂଯୋଗର ଏକ ମଜବୁତ ସେତୁ ସୃଷ୍ଟି ହୋଇଥିବା ବେଳେ, ଲୋକମାନେ ନିଜ ସମସ୍ୟା ନିର୍ଭୟରେ ଉପସ୍ଥାପନ କରିପାରିଥିଲେ । ପ୍ରଶାସନ ପକ୍ଷରୁ ସମସ୍ତ ଅଭିଯୋଗର ସଠିକ ତଦନ୍ତ ସହ ସମୟ ସୀମା ମଧ୍ୟରେ ସମାଧାନ କରାଯିବ ବୋଲି ଆଶ୍ୱାସନ ଦିଆଯାଇଛି ।

yuvodaya
Leave A Reply

Your email address will not be published.