ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ପରିସରରେ ଆତ୍ମସୁରକ୍ଷା ତାଲିମ ଶିବିରର ଉଦଯାପନୀ ସମାରୋହ ଅତ୍ୟନ୍ତ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶ ସଭାପତିତ୍ୱ କରି ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଓ ସାହସ ବୃଦ୍ଧି କରିବା ପାଇଁ ଏଭଳି ପ୍ରଶିକ୍ଷଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଇନଜୀବୀ ଦୀପ୍ତିମୟୀ ଶତପଥୀ ଯୋଗଦେଇ ନାରୀ ସୁରକ୍ଷା ଓ ଆଇନଗତ ସଚେତନତା ସମ୍ପର୍କରେ ଛାତ୍ରୀମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଅଧିକାରୀ ବୁନି ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଶତାଧିକ ଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପିକା ପୂର୍ଣ୍ଣିମା ଦୋରା, ଅଧ୍ୟାପିକା ମୋନାଲିସା ସ୍ୱାଇଁ ଏବଂ ସୁରେଶ୍ୱରୀ ପାଣ୍ଡେ ପ୍ରମୁଖ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଶିବିରରେ ପ୍ରଶିକ୍ଷଣ ନେଇଥିବା ଛାତ୍ରୀମାନେ ନିଜର ଆତ୍ମରକ୍ଷା କୌଶଳ ପ୍ରଦର୍ଶନ କରିଥିଲେ । ପରିଶେଷରେ ଡକ୍ଟର ସସ୍ମିତା ମେହେର ସମସ୍ତ ଅତିଥି ଓ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.