ବଲାଙ୍ଗିର, (କେପିଏନ୍ଏସ୍) : ପି ପି ଏକାଡେମୀର ଦୁଇଦିନିଆ ବାର୍ଷିକ କ୍ରୀଡା ପ୍ରଧାନ ଶିକ୍ଷକ ଦ୍ୟୁତି ରଞ୍ଜନ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ରମାନେ ସମଲେଶ୍ୱରୀ ମନ୍ଦିରରୁ ଏକ ଶୋଭାଯାତ୍ରାରେ ଆସି ମଶାଲ ସ୍ଥାପନ କଲା ପରେ ଟାଉନ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର ଏହାକୁ ଉଦଘାଟନ କରିଥିଲେ । ଏହି ଅବସରରେ କ୍ରୀଡା ଶିକ୍ଷୟିତ୍ରୀ ସସ୍ମିତାରାଣୀ ମିଶ୍ର, ସୁଜାତା ମଲ୍ଲିକ ଏବଂ ଆରତୀ ସାହୁଙ୍କ ପରିଚାଳନାରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଜୁନିୟର ବିଭାଗରେ ରୋହନ ମୁଦୁଲି ଏବଂ ସିନିୟର ବିଭାଗରେ ରାହୁଲ ବାରିକ ଚାମ୍ପିୟନ ହୋଇଥିଲେ । ଉଦଯାପନୀ ଉତ୍ସବରେ ଟାଉନ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଆର୍ଯ୍ୟବାଳା ମିଶ୍ର, ପିପି ଏକାଡେମୀର ବରିଷ୍ଠ ଶିକ୍ଷୟିତ୍ରୀ ଅଂଶୁପା ଭୋଇ ଓ କେତକୀ ଭୋଇ କୃତି ଛାତ୍ରମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦେଇଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର ପଣ୍ଡା ଏବଂ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ଧ୍ୟାରାଣୀ ଧରୁଆ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସରୋଜ ମେଶ୍ଵା, ଆଲୁମିନି ସଭାପତି ଅଫତାବ ହୁସେନ, ଉପ ସଭାପତି ନାସୀର ଖାନ ଉପସ୍ଥିତ ରହି ବିଜେତା ଛାତ୍ର ମାନଙ୍କୁ ପୁରସ୍କୃତ କରିଥିଲେ । ୨୦୨୫-୨୬ ଶିକ୍ଷାବର୍ଷରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ କ୍ରୀଡାରେ ଭାଗନେଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ରମାନଙ୍କ ସହ ଜାତୀୟ ସ୍ତରରେ ଭାଗନେଇଥିବା ପିପି ଏକାଡେମୀର ସ୍ୱାଗତ ସେଠ, ଶ୍ରବଣ ସେଠ, ମଣିକେଶ ନାଏକ, ସୋମନାଥ ପୁଟେଲ ଏବଂ ସନ୍ତରଣରେ ରାଜ୍ୟ ପାଇଁ ପ୍ରଥମ ଥର ସ୍ଵର୍ଣ୍ଣ ଓ ବ୍ରୋଞ୍ଜ ପଦକ ଜିତି ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଏହି ବିଦ୍ୟାଳୟର ସୌରଭ ପୁଟେଲଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମଟିକୁ ଶିକ୍ଷକ ଅନିଲ ସରଭଙ୍ଗ ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ସୁନିତା ବିଶ୍ୱାଳ ଧନ୍ୟବାଦ ଦେଇଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ ।