ଜିଲ୍ଲା ଲେଖକ ମହାସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦକୁ ପୁନର୍ଜୀବିତ ତଥା ପୁନର୍ଗଠନ ପାଇଁ ସ୍ଥାନୀୟ କଲ୍ୟାଣ ମଣ୍ଡପ, ସୁଦ୍‌ପଡ଼ା, ବଲାଙ୍ଗିର ଠାରେ ଜିଲ୍ଲା ଲେଖକ ମହାସଭାର ବୈଠକ ଅନୁଷ୍ଠିତ ହୋଇଯାଇଛି । କବି ସୁଶାନ୍ତ ବାଗ ଓ ମଧୁସୂଦନ ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ମହାସଭାରେ ଓ ଶିକ୍ଷାବିତ ସନାତନ ଠାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବହୁ ସଂଖ୍ୟକ ଲେଖକ, କବି, ଗବେଷକ, ବୁଦ୍ଧିଜୀବୀ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ଦେଇଥିଲେ । କବି ସୁଶାନ୍ତ ବାଗ, ବର୍ତ୍ତମାନର ସଭାପତି ମଳୟ ମିଶ୍ରଙ୍କ ବିରୁଦ୍ଧରେ ଏକ ନିନ୍ଦା ପ୍ରସ୍ତାବ ଓ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ ଯାହାକି ଅନେଶ୍ୱତ ପ୍ରତିଶତ ସହମତିରେ ଗୃହିତ ହୋଇଥିଲା । ସମସ୍ତେ ଏକଜୁଟ ହୋଇ କିପରି ଜିଲ୍ଲା ଲେଖକ ପରିଷଦକୁ ବଞ୍ଚେଇ ରଖି ଆଗକୁ ନେବା ସହ ନୂତନ କବି ଓ ଲେଖକଙ୍କୁ ଜନ୍ମ ଦେବା ସେ ବିଷୟରେ ଆଲୋଚନା ହୋଇଯାଇଛି । ଦ୍ୱିତୀୟ ଅଧିବେଶନରେ ରସରାଜ ଅଚ୍ୟୁତ ପୁରୋହିତଙ୍କ ସଭାପତିତ୍ୱରେ ଏକ ବର୍ଣ୍ଣାଢ଼୍ୟ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି କବିତା ଆସରକୁ କବୟିତ୍ରୀ ନିର୍ମାଲ୍ୟ ସ୍ୱାଇଁ ଓ କବି ମୃଗେଶ ବୈଷ୍ଣବ ପାଣିଗ୍ରାହୀ ସଂଯୋଜନା କରିଥିଲେ । ଉକ୍ତ ମହାସଭାରେ ଜିଲ୍ଲାର ସବୁ ଅଞ୍ଚଳରୁ ଓ ସବୁ ବର୍ଗର ପ୍ରତିନିଧି ସାମିଲ ହୋଇଥିଲେ ।

Leave A Reply

Your email address will not be published.