ଫୋଲ୍ଡସ୍କୋପ୍‌ର ଉପଯୋଗିତା ଉପରେ ସ୍ୱତନ୍ତ୍ର ବକ୍ତୃତା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ସ୍ନାତକୋତ୍ତର ପ୍ରାଣୀ ବିଜ୍ଞାନ ଓ ଉଦ୍ଭିଦ ବିଜ୍ଞାନ ବିଭାଗ ଏବଂ ଆଇକ୍ୟୁଏସିର ମିଳିତ ଆନୁକୂଲ୍ୟରେ ‘ଜୀବବିଜ୍ଞାନ କ୍ଷେତ୍ରରେ ଫୋଲ୍ଡସ୍କୋପ୍‌ର ପ୍ରୟୋଗ’ ଶୀର୍ଷକ ଏକ ସମ୍ମାନଜନକ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମହା ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶ ସଭାପତିତ୍ୱ କରି ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ କ୍ଷେତ୍ରରେ ଏଭଳି ଆଧୁନିକ ଉଦ୍ଭାବନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ମୁଖ୍ୟ ସମ୍ପାଦକ ବ୍ୟକ୍ତି ଭାବେ ଅରୁଣାଚଳ ପ୍ରଦେଶ ରାଜୀବ ଗାନ୍ଧୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଇଟାନଗର ସରକାରୀ ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗ ସହଯୋଗୀ ପ୍ରାଧ୍ୟାପକ ଡକ୍ଟର ପ୍ରଶାନ୍ତ ନନ୍ଦ ଯୋଗଦେଇ ନିଜର ସାରଗର୍ଭକ ବକ୍ତୃତା ପ୍ରଦାନ କରିଥିଲେ । ସେ କମ୍ ଖର୍ଚ୍ଚରେ ନିର୍ମିତ କାଗଜ ଅଣୁବୀକ୍ଷଣ ଯନ୍ତ୍ର ବା ‘ଫୋଲ୍ଡସ୍କୋପ୍’ ମାଧ୍ୟମରେ କିପରି ସୂକ୍ଷ୍ମ ଜୀବଜଗତକୁ ସହଜରେ ପରୀକ୍ଷା କରାଯାଇପାରିବ ଏବଂ ଏହା ଜୀବବିଜ୍ଞାନ ଗବେଷଣାରେ କିପରି ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି, ସେ ସମ୍ପର୍କରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଶ୍ରୀମତୀ ମାନସୀ ସ୍ୱାଇଁ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ଅଧ୍ୟାପକ ଡକ୍ଟର ସୁବୋଧ କୁମାର ତ୍ରିପାଠୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ମଞ୍ଚାସୀନ ଅତିଥି ଭାବେ ଆଇକ୍ୟୁଏସି ସଂଯୋଜକ ଅଧ୍ୟାପକ ନବକୃଷ୍ଣ ମିଶ୍ର ଉପସ୍ଥିତ ଥିଲେ । ଏହି ଅବସରରେ ଅତିଥିମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସମ୍ମିଳନୀରେ ପ୍ରାଧ୍ୟାପିକା ତାପିନୀ ପଣ୍ଡା, ପ୍ରାଧ୍ୟାପକ ତାରା ପ୍ରସାଦ ଶତପଥୀ, ପ୍ରଭାତ କୁମାର ମହାପାତ୍ର, ପ୍ରମୋଦ ତ୍ରିପାଠୀ, ସୁଦୀପ୍ତ ଦାଶ, ଘନଶ୍ୟାମ ପ୍ରଧାନ, ରବୀନ୍ଦ୍ର ନାଏକ ସମେତ ସମସ୍ତ କର୍ମଚାରୀ ଓ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ । ଶେଷରେ ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରାଧ୍ୟାପିକା କଳ୍ପନା ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.