- ଭାରତ-ଜର୍ମାନୀ ରଣନୈତିକ ସହଭାଗୀତାରେ ହୋଇଥିବା ପ୍ରଗତି ସମୀକ୍ଷା କରିବେ ଉଭୟ ନେତା
- ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚାନ୍ସେଲର ମର୍ଜ ସାବରମତୀ ଆଶ୍ରମ ପରିଦର୍ଶନ କରି ଅହମଦାବାଦରେ ଅନ୍ତର୍ଜାତୀୟ ଗୁଡ଼ି ମହୋତ୍ସବରେ ଯୋଗଦେବେ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଆସନ୍ତା ଜାନୁଆରୀ ୧୨, ଅହମ୍ମଦାବାଦଠାରେ ଜର୍ମାନୀର ଫେଡେରାଲ ଚାନ୍ସେଲର ମହାମହିମ ଶ୍ରୀ ଫ୍ରେଡରିଚ୍ ମର୍ଜଙ୍କୁ ଭେଟିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକ୍ରମେ ଜର୍ମାନୀର ଫେଡେରାଲ ଚାନ୍ସେଲର ମହାମହିମ ଶ୍ରୀ ଫ୍ରେଡରିଚ୍ ମର୍ଜ ଜାନୁଆରୀ ୧୨-୧୩ରେ ଭାରତକୁ ଏକ ସରକାରୀ ଗସ୍ତରେ ଆସୁଛନ୍ତି । ଏହା ଚାନ୍ସେଲର ମର୍ଜଙ୍କ ପ୍ରଥମ ସରକାରୀ ଭାରତ ଗସ୍ତ ହେବ । ଜାନୁଆରୀ ୧୨ ସକାଳ ୯.୩୦ରେ ଉଭୟ ନେତା, ସାବରମତୀ ଆଶ୍ରମ ପରିଦର୍ଶନ କରିବେ ଏବଂ ସକାଳ ୧୦ଟାରେ, ସେମାନେ ସାବରମତୀ ନଦୀକୂଳରେ ଆୟୋଜିତ ଅନ୍ତର୍ଜାତୀୟ ଗୁଡ଼ି ମହୋତ୍ସବରେ ଅଂଶଗ୍ରହଣ କରିବେ । ଏହା ପରେ ପୂର୍ବାହ୍ନ ୧୧:୧୫ରେ ଗାନ୍ଧୀନଗରର ମହାତ୍ମା ମନ୍ଦିରରେ ଦ୍ୱିପାକ୍ଷିକ ବୈଠକ ହେବ । ଏହି ଅବସରରେ ଉଭୟ ନେତା ଭାରତ-ଜର୍ମାନୀ ରଣନୈତିକ ସହଭାଗୀତାର ପ୍ରଗତି ସମୀକ୍ଷା କରିବେ, ଯାହାକି ନିକଟରେ ୨୫ ବର୍ଷ ପୂରଣ କରିଛି। ଦ୍ବିପାକ୍ଷିକ ଆଲୋଚନାରେ ବାଣିଜ୍ୟ ଏବଂ ନିବେଶ, ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ଦକ୍ଷତା ଏବଂ ଗତିଶୀଳତାରେ ସହଯୋଗକୁ ଆହୁରି ମଜବୁତ କରିବା ସହିତ ପ୍ରତିରକ୍ଷା ଓ ସୁରକ୍ଷା, ବିଜ୍ଞାନ, ନବସୃଜନ ଏବଂ ଗବେଷଣା, ସବୁଜ ଏବଂ ସ୍ଥାୟୀ ବିକାଶ ତଥା ଲୋକମାନଙ୍କ ମଧ୍ୟରେ ସମ୍ପର୍କ ଭଳି ପ୍ରମୁଖ କ୍ଷେତ୍ରରେ ସହଯୋଗକୁ ଆଗକୁ ବଢ଼ାଇବା ଉପରେ ମଧ୍ୟ ଧ୍ୟାନ ଦିଆଯିବ । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚାନ୍ସେଲର ମର୍ଜ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିବେ ଏବଂ ଉଭୟ ଦେଶର ବ୍ୟବସାୟ ତଥା ଶିଳ୍ପ ନେତାଙ୍କ ସହ ଆଲୋଚନା କରିବେ ।