ଜୟପାଟଣା, (ଶେଷଦେବ ବେହେରା) : ନଭେମ୍ବର ପ୍ରଥମ ସପ୍ତାହରୁ ସ୍ଵଳ୍ପ ମିଆଦି ଧାନ ସାଙ୍ଗକୁ ଉଚ୍ଚ ମାଳ ଅଞ୍ଚଳ ମାନଙ୍କର ଧାନ ଅମଳ ପ୍ରକ୍ରିୟାର ଆରମ୍ଭ ହୋଇ ଦ୍ଵିତୀୟ ପର୍ଯ୍ୟାୟର ମଧ୍ୟମ ଓ ବଡ଼ ଧାନ ମାନଙ୍କର ଅମଳ ଜୋରସୋରରେ ଆରମ୍ଭ ହୋଇଯାଇଛି । କେବଳ କୃଷି ଉପରେ ନିର୍ଭର କରି ଜୀବନ ଧାରଣ କରି ଆସୁଥିବା ଚାଷୀ ସ୍ଵଳ୍ପ ମିଆଦି ଧାନର ଅମଳକୁ ୧୪୦୦ରୁ ୧୭୦୦ଟଙ୍କାରେ ବିକ୍ରି କରିସାରି ପରବର୍ତ୍ତୀ ଦୟନୀୟ ସ୍ଥିତିକୁ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳୁଛି । କଳାହାଣ୍ଡି ଜିଲ୍ଲାର ତିରିଶ ଭାଗ ମାଳ ଜମି ସାଙ୍ଗକୁ ତନ୍ମଧ୍ୟରୁ କିଛି ଅଞ୍ଚଳ ଅଣ ଜଳ ସେଚିତ ରହିଥିବା ବେଳେ ତହିଁରୁ ଉପଲବ୍ଧ ଅନେକ ପରିମାଣର ଧାନ ଖଳା ମାନଙ୍କରୁ ହିଁ ଉଭାନ ହୋଇ ସାରିଥିବା ସମସ୍ତଙ୍କ ଜ୍ଞାତ ସାରରେ ରହିଛି । ସରକାରୀ ସୁବିଧା ଯେତିକି ପରିମାଣରେ ମିଳୁଥିଲେ ବି ଚାଷୀ ମାନଙ୍କ ଆର୍ଥିକ ସମ୍ବଳର ଅଭାବ ଅଭାବୀ ବିକ୍ରିର ଶିକାର ହେବାକୁ ବାଧ୍ୟ କରୁଛି । ଚଳିତ ନଭେମ୍ବର ମାସରେ ଅମଳ ହୋଇଥିବା ସ୍ଵଳ୍ପ ମିଆଦି ଧାନ କୁଆଡେ ଯାଇଛି ତାହା ଏବେ ତଦନ୍ତ ସାପେକ୍ଷ ବୋଲି ଆଲୋଚନା ହେଉଛି । ମଣ୍ଡି ମାନଙ୍କର ବ୍ୟବସ୍ଥାଗତ ଶିଥିଲତା ପାଇଁ ଏବେ କଳାହାଣ୍ଡି ଜିଲ୍ଲାର ମଣ୍ଡି ଆରମ୍ଭକୁ ନେଇ ଏବେ ସୁଦ୍ଧା ଅନିଶ୍ଚିତତା ଲାଗିରହିଛି । ଇତି ମଧ୍ୟରେ ଗତ ନଭେମ୍ବର ୧୫ ତାରିଖ ଦିନ କଳାହାଣ୍ଡି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଡିଏଲ୍ପିସି ସଭାରେ କଳାହାଣ୍ଡି ସାଂସଦ, ଧର୍ମଗଡ ବିଧାୟକ, ଚାଷୀ ପ୍ରତିନିଧି ସଂପୃକ୍ତ ଜିଲ୍ଲା ଅଧିକାରୀ ଓ ମିଲର ମାନଙ୍କ ଉପସ୍ଥିତିରେ ଡିସେମ୍ବର ଏକ ତାରିଖରୁ ମଣ୍ଡି ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଘୋଷଣା କରାଯାଇ ଥିଲା । ଗତ ୨୪/୨୫ଖରିଫ ବର୍ଷରେ କଳାହାଣ୍ଡି ଜିଲ୍ଲାରୁ ପ୍ରାୟ ୯୪ଲକ୍ଷ କ୍ଵିଣ୍ଟାଲ ଧାନ କ୍ରୟ କରାଯାଇ ଏକ ରେକର୍ଡ ସୃଷ୍ଟି କରାଯାଇଥିବା ବେଳେ ଚଳିତ ବର୍ଷ ଅଧିକ ଆଠ ହଜାର ଚାଷୀ ପଞ୍ଜିକରଣ ସହିତ ମୋଟ ୧,୨୧, ୧୮୧ଜଣ ଚାଷୀଙ୍କ ୪,୬୧, ୬୪୦ଏକର ଜମିର ଉପଲବ୍ଧ ଧାନ ମଣ୍ଡି ମାଧ୍ୟ୍ୱରେ କିଣା ଯିବ ବୋଲି ସୂଚନାରୁ ପ୍ରକାଶ । ଏଭଳି ହେଲେ କଳାହାଣ୍ଡି ଜିଲ୍ଲାର କେବଳ ପଞ୍ଜୀକୃତ ଚାଷୀ ୮୭,୭୧, ୧୬୦କ୍ଵିଣ୍ଟାଲ ଧାନ କେବଳ ମଣ୍ଡି ମାନଙ୍କରେ ବିକ୍ରି କରିବେ ବୋଲି ସୂଚନାରୁ ପ୍ରକାଶ । ସେହିପରି ଜୟପାଟଣା ବ୍ଲକରେ ୨୩ଟି ମଣ୍ଡି କାର୍ଯ୍ୟକ୍ଷମ ହେବାକୁ ଥିବାବେଳେ ମୋଟ ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ପାଞ୍ଚଟି ପ୍ରାଥମିକ ସେବା ସମବାୟ ସମିତିକୁ ମିଶାଇ ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ୧୪, ୨୩୧ ରହିଥିବା ସୂଚନା ମିଳିଛି । ମଣ୍ଡି ବ୍ୟବସ୍ଥା ଓ ଚାଷୀଙ୍କ ସମୟ ସୀମାକୁ ନେଇ ଜିଲ୍ଲା କୃଷି ବିଭାଗ ସମ୍ପୂର୍ଣ୍ଣ ନୀରବ ଥିବା ବେଳେ ଅନ୍ତତଃ ଅମଳ ସମୟ ସୀମାକୁ ନେଇ ବିଭାଗ ନିଜେ ସଚେତନ ହେବା ସହିତ ଜିଲ୍ଲା ମୁଖିଆଙ୍କୁ ମଧ୍ୟ ସଠିକ୍ ସୂଚନା ଦେବା ପାଇଁ ସାଧାରଣରେ ଦାବୀ ହେଉଛି । ମଣ୍ଡି ଆରମ୍ଭକୁ ନେଇ ବାସ୍ତବରେ ବିଳମ୍ୱ ହେଉଥିବା ବେଳେ ପରବର୍ତ୍ତୀ ସମୟରେ ନଭେମ୍ବର ୧୫ତାରିଖ ସୁଦ୍ଧା ସମଗ୍ର ଜିଲ୍ଲାରେ ମଣ୍ଡି ଆରମ୍ଭ କରି ଅନେକ ଛୋଟ ଓ ନାମମାତ୍ର ଅବହେଳିତ ଚାଷୀଙ୍କ ପାଇଁ ସରକାରୀ ଯୋଜନା ଓ ମଣ୍ଡି ବ୍ୟବସ୍ଥା ପହଞ୍ଚା ଯାଇ ପାରିବ ବୋଲି ଆଲୋଚନା ହେଉଛି ।
Prev Post