ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକ ଅନ୍ତର୍ଗତ ଶିବତୁଲା ଗ୍ରାମ ପଞ୍ଚାୟତର ରମ୍ଭାସିଣ୍ଢୋଲ, ଘାଟ କଇଁତରା, ଭାଲୁ ବାହାଲ ଓ ଆଡକଟା ଗ୍ରାମରେ ଗତକାଲି ଠାରୁ ଏକ ଜଙ୍ଗଲି ପାଗଳ ବିଲୁଆର ଆତଙ୍କ ଯୋଗୁଁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ରମ୍ଭାସିଣ୍ଢୋଲ ଗ୍ରାମର ୪ଜଣ, ପାଲିୱାର୍ଡର ୩ ଜଣ, ଭାଲୁପାଲି ଓ ଆଡ଼କଟା ଗ୍ରାମ ର ୧ ଜଣ ଲେଖାଏଁ ଲୋକ ବିଲୁଆ ଆକ୍ରମଣରେ ଗୁରୁତର ଆହତ ହେଇଥିବା ଖବର ମିଳିଛି । ଖବର ନେବାରୁ ଜଣାପଡ଼ିଛି ଯେ, ସୋନପୁର ବନ ବିଭାଗର ଫରେଷ୍ଟ ଅଫିସର ଭକ୍ତବନ୍ଧୁ ମିଶ୍ରଙ୍କ ନେତୃତ୍ଵରେ ଏକ ସ୍ୱତନ୍ତ୍ର ଟିମ୍ ଗତକାଲି ଠାରୁ ବିଲୁଆକୁ ଠାବ କରି ଉଦ୍ଧାର କରିବା ପାଇଁ ସେହି ଅଞ୍ଚଳରେ କ୍ୟାମ୍ପ କରିଥିବା ଓ ରାତି ଦିନ ପ୍ରୟାସ ଜାରି ରଖିଥିବା ଖବର ମିଳିଛି । ଲୋକେ ପାଗଳ ବିଲୁଆର ଆତଙ୍କ ପାଇଁ ଗତକାଲି ଠାରୁ ସନ୍ଧ୍ୟା ହେଲେ ଆଉ ଘରୁ ବାହାରୁ ନ ଥିବା ଜଣାଯାଇଛି । ଦିନ ବେଳା ମଧ୍ୟ ମହିଳା ଓ ପୁରୁଷ ମାନେ ଚାଷ କାମ କିମ୍ବା ଜରୁରୀ କାମରେ ଗଲେ ନିଜର ସୁରକ୍ଷା ପାଇଁ ଟାଙ୍ଗିଆ ଓ ବିଭିନ୍ନ ଅସ୍ତ୍ର ଶସ୍ତ୍ର ଧରି ଆସୁଥିବା ଖବର ମିଳିଛି । ଖୁବ୍ ଶୀଘ୍ର ପାଗଳ ବିଲୁଆକୁ ଠାବ କରି ଲୋକଙ୍କ ଧନ ଜୀବନ ସୁରକ୍ଷା ପାଇଁ ଅଞ୍ଚଳର ଲୋକେ ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ପାଖରେ ଦାବି କରିଛନ୍ତି ।