ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ସହ ଆଲୋଚନା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କୁ ସାକ୍ଷାତ କରି ଜିଲ୍ଲା କୃଷକ ସଙ୍ଗଠନର କର୍ମକର୍ତ୍ତା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ । ଖରିଫ ଋତୁରେ ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ତଥା ନିର୍ଦ୍ଧାରିତ ସମୟ ଡିସେମ୍ବର ୧୫ ପୂର୍ବରୁ ଧାନ କିଣା, ଭିତ୍ତିଭୂମି ନ ଥିବା ଏସଏଚଜି ଗ୍ରୁପ ଓ ପେକ୍ସକୁ ଧାନ କିଣା ଦାୟିତ୍ଵରୁ ବାଦ ଦେବା ଏବଂ ଚାଷୀ ଯେମିତି ତାର ଧାନ ନିର୍ଦ୍ଧାରିତ ଦରରେ ବିକି ପାରିବ ଇତ୍ୟାଦି ବିଷୟରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଆସନ୍ତା କାଲି ଅନୁଷ୍ଟିତ ହେବାକୁ ଥିବା ପେଡ଼ି ପ୍ରୋକରମେଣ୍ଟ ମିଟିଂରେ ସବିଶେଷ ଆଲୋଚନା କରିବା ଓ ଏହାର ସ୍ଥାୟୀ ସମାଧାନ ପାଇଁ ଅନୁରୋଧ କରିଥିଲେ । ଧାନ କିଣା ପୂର୍ବରୁ ଓ ଧାନ କିଣା ସମୟରେ ଜିଲ୍ଲାର ପ୍ରତ୍ୟେକ ରାଇସ ମିଲ ଓ ପେକ୍ସ୍ ମାନଙ୍କୁ ଜିଲ୍ଲା ପ୍ରଶାସନିକ ଅଧିକାରୀ ଅଚାନକ ପରିଦର୍ଶନ କରି ଷ୍ଟକ୍ ଯାଞ୍ଚ କରିବାକୁ ମଧ୍ୟ ଆଲୋଚନା କରିଥିଲେ । ସଂଗଠନ ପକ୍ଷରୁ ସଭାପତି ବୈକୁଣ୍ଠ ଶତପଥୀ, କୋଷାଧ୍ୟକ୍ଷ ପଦ୍ମ ଲୋଚନ ମିଶ୍ର, ଆଇନ ପରାମର୍ଶଦାତା ପ୍ରଦୀପ ପୁରୋହିତ, ବରିଷ୍ଠ ସଦସ୍ୟ ପିତାମ୍ବର ସାମନ୍ତରାୟ, ପ୍ରତାପ ଦାଶ ଓ ନିରଞ୍ଜନ ତ୍ରିପାଠୀ ପ୍ରମୁଖ ଆଲୋଚନାରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.