ଧାମରା ସଂଘରେ ଲୁଣିଆ ଓ ଇରମ ଶହୀଦ ସ୍ମୃତି ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଧାମରା ସଂଘ ପକ୍ଷରୁ ସଂଘ ପରିସରରେ ଲୁଣିଆ ଓ ଇରମ ଶହୀଦ ସ୍ମୃତି ଦିବସ ପାଳନ ହୋଇଯାଇଛି । ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱ ସାଧାରଣ ସମ୍ପାଦକ ଭଗବାନ ରାଉତଙ୍କ ଆବାହକତ୍ୱ ଓ ସହ ସମ୍ପାଦକ ଅକ୍ଷୟ କୁମାର ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅର୍ବାନ୍ ବ୍ୟାଙ୍କର ସଭାପତି ଦିଲ୍ଲୀପ କୁମାର ମହାପାତ୍ର ମୁଖ୍ୟଅତିଥି ଓ ବିଶିଷ୍ଟ ସାହିତ୍ୟିକ ତଥା କବି ରାଜୀବ ପାଣି ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟବକ୍ତା ଶ୍ରୀ ପାଣି ତାଙ୍କ ବକ୍ତବ୍ୟରେ କହିଲେ ଯେ ସ୍ୱାଧୀନତା ଏକ ଶବ୍ଦ ନୁହେଁ, ଏହା ତ୍ୟାଗ ଓ ପ୍ରେରଣାର ଉତ୍ସ । ୧୯୪୨ରେ ଲୁଣିଆ ଓ ଇରମ ଠାରେ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ଶହୀଦଙ୍କ ସ୍ମୃତି ଚାରଣ କରିବା ସହ ସେହି ମାଟିର ଜାତୀୟ କବି ବାଞ୍ଛାନିଧି ମହାନ୍ତି ଓ ବୀରକିଶୋର ଦାସଙ୍କ ରଚିତ କବିତା, ଅସହଯୋଗ ଆନ୍ଦୋଳନର ମୂଳଭିତ୍ତି, ରାଓ ଲାଜ୍ ଆଇନ, ଲବଣ ସତ୍ୟାଗ୍ରହ ସମ୍ପର୍କରେ ଆଲୋଚନା କରିଥିଲେ । ଶହୀଦଙ୍କ ସମ୍ପର୍କରେ ପଠନରେ ନୁହେଁ, ଉତ୍ତର ପିଢ଼ି କିପରି ଦିଗଦର୍ଶନ ପାଇବେ ତାହା ସମସ୍ତଙ୍କ ଧ୍ୟେୟ ହେବା ଦରକାର ବୋଲି ମତ ରଖିଥିଲେ । ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ଇରମ ଗୁଳିକାଣ୍ଡ ଘଟଣାକୁ ଦ୍ୱିତୀୟ ଜାଲିଆନାୱାଲାବାଗ ବୋଲି ଅବହିତ କରି ଏ ସମ୍ପର୍କରେ ସରକାର ସମସ୍ତଙ୍କ ଜାଣିବା ପାଇଁ ପ୍ରୟାସ କରିବାକୁ ସେ ଆହ୍ୱାନ ଦେଇଥିଲେ । ସଭାପତି ଶ୍ରୀ ବେହେରା ସଭାପତିତ୍ୱ ଅଭିଭାଷଣ ସହ ତାଙ୍କ ବକ୍ତବ୍ୟରେ ଦେଶ ପାଇଁ ଯିଏ ପ୍ରାଣବଳି ଦିଏ ତାକୁ ସମସ୍ତେ ମନେ ପକାନ୍ତି, ଆଉ ଯିଏ ଶହୀଦ ନୁହଁନ୍ତି ତାକୁ କେହି ମନେରଖନ୍ତି ନାହିଁ ବୋଲି ମତ ରଖିଥିଲେ । ସାଧାରଣ ସମ୍ପାଦକ ଶ୍ରୀ ରାଉତ ଶହୀଦ ସ୍ମୃତି ଦିବସ ପାଳନର ଆଭିମୁଖ୍ୟ, ୩୮ ଶହୀଦଙ୍କ ସମ୍ପର୍କରେ ତଥା ଏହି ଉଦ୍ଦେଶ୍ୟରେ ଏକ କବିତା ପାଠ କରିଥିଲେ । ପ୍ରାରମ୍ଭରେ ରାଜକୁମାରୀ ଦେବୀ ସ୍ୱାଗତ ସଂଗୀତ ସହ ଶହୀଦଙ୍କ ସମ୍ପର୍କରେ ଏକ ସଂଗୀତ ପରିବେଷଣ କରିଥିଲେ । ଶେଷରେ ବରିଷ୍ଠ ସଦସ୍ୟ ମହେନ୍ଦ୍ର କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସଂଘର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିବା ବେଳେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.