ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ଖପ୍ରାଖୋଲ ଠାରେ ପ୍ରତି ସପ୍ତାହର ଶନିବାରରେ ଅନୁଷ୍ଠିତ ହେଉଥିବା ସାପ୍ତାହିକ ବଜାର ଏକ ପ୍ରମୁଖ ବଜାର । ଖପ୍ରାଖୋଲ ପଞ୍ଚାୟତ ଅଧିନସ୍ଥ ଏହି ବଜାରକୁ ଅତି କମରେ ୫୦୦ ଲୋକଙ୍କ ସମାଗମ ହୁଏ । ଟିକସ ଆଦୟରେ ଏହି ବଜାର ସୁନା ଅଣ୍ଡା ଦିଆ କୁକୁଡ଼ା ପାଲଟିଥିବା ବେଳେ ଆଜି ବଜାରରେ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ସାମାନ୍ୟ ବର୍ଷାରେ ଯଦି ବଜାରରେ କାଦୁଅ ଭରି ହେଉଛି, ତାହେଲେ ଲଗାଣ ବର୍ଷାରେ ଏହାର ଅବସ୍ଥା କିପରି ହେଉଥିବା ତାହା ଅନୁମେୟ । ବଜାର ଭିତର ସାମାନ୍ୟ ବର୍ଷାରେ ଏଭଳି କାଦୁଅ ହେଉଛି ଯେ ଏତେ ବଡ଼ ଗହଳିରେ ଲୋକେ ଯାତାୟତ କରିବା କଷ୍ଟକର ହୋଇପଡୁଛି । କାହାର ଚପଲ ଛିଣ୍ଡି ଯାଉଛି ତ କେହି କେହି କାଦୁଅରେ ଖସି ପଡୁଥିବା ଦେଖିବାକୁ ମିଳୁଛି । ଗୋଟିଏ ରାସ୍ତାରେ ସମସ୍ତେ ଯାତାୟତ କରୁଛନ୍ତି ଫଳରେ ଆଣ୍ଠୁଏ କାଦୁଅ ସୃଷ୍ଟି ହେଉଛି । ବ୍ୟବସାୟୀ ଓ ଗ୍ରାହକ ପଚପଚ କାଦୁଅରେ ନାହଁ ନଥିବା ଅସୁବିଧା ଭୋଗୁଛନ୍ତି । ଯଦି ସାଧାରଣ ଭାବରେ ବଜାର ଭିତରେ କିଛି ମୋରମ ମାଟି ପକା ଯାଆନ୍ତା ତାହେଲେ ଲୋକଙ୍କ ଯାତାୟତ ସୁଗମ ହୁଅନ୍ତା । ଅନ୍ୟପଟେ ଦୋକାନୀ ମାନଙ୍କ ଠାରୁ ଟିକସ ଆଦାୟ କରାଯାଉଛି କିନ୍ତୁ ଦୋକାନୀ ଏବଂ ଗ୍ରାହକ ମାନଙ୍କ ଠାରୁ ମୁହଁ ମୋଡି ଦେଇଛି ପଞ୍ଚାୟତ । ବଜାର ଭିତର ଅବସ୍ଥା ଶୋଚନୀୟ । ଏହାକୁ ନେଇ ସର୍ବସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି ।
