
ବୌଦ୍ଧ : ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥର ବୌଦ୍ଧ ଥାନା ଅନ୍ତର୍ଗତ ହରଭଙ୍ଗା ବ୍ଲକର ରାମ୍ଭୀକଟା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକ୍କୁ ସାମ୍ନାରୁ ଧକ୍କା ଦେଲା କାର୍ । ଚାଲିଗଲା ଦମ୍ପତିଙ୍କ ଜୀବନ । ମୃତ ଦମ୍ପତି ଦଶପଲ୍ଲା ଗଣିଆ ଅଞ୍ଚଳର ରାଜ କିଶୋର ସାହୁ ଓ ତାଙ୍କ ପତ୍ନୀ ବୋଲି ଜଣାପଡ଼ିଛି । ସୂଚନା ମୁତାବକ, ବୁଧବାର ରାତିରେ ବାପାଙ୍କ ମୃତ୍ୟୁ ଖବର ପାଇ ନୂଆପଡା ଜିଲ୍ଲାରୁ ରାଜକିଶୋର ସାହୁ ତାଙ୍କ ସ୍ତ୍ରୀ ସହ ନିଜ ଗାଁ ନୟାଗଡ଼ ଜିଲ୍ଲା ଗଣିଆ ଅଞ୍ଚଳକୁ କାର୍ ଯୋଗେ ଯାଉଥିଲେ । ବୌଦ୍ଧ ଆଦର୍ଶ ଥାନା ରାମ୍ଭିକଟା ଟୋଲ୍ ଗେଟ୍ ନିକଟରେ ରାସ୍ତାରେ ଏକ ଟ୍ରକ୍ ଛିଡ଼ା ହୋଇଥିଲା । ଉକ୍ତ ଟ୍ରକ୍କୁ ସାମ୍ନାରୁ ଧକ୍କା ଦେଇଥିଲା କାର୍ । ଫଳରେ କାର୍ରେ ଥିବା ଦମ୍ପତି ଗୁରୁତର ହୋଇଥିଲେ । ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇଁ ବୌଦ୍ଧ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।