oom

ବାଇକ୍ ଚାଳକଙ୍କ ଉପରେ ଚଢିଗଲା ଟ୍ରକ

jsmm

କେନ୍ଦ୍ରାପଡା : ମୃତ୍ୟୁ କେତେବେଳେ କେଉଁ ବାଟେ ଆସିବ କାହାକୁ ଜଣାନଥାଏ । ଘରୁ ବାହାରି ଜଳଖିଆ ଦୋକାନକୁ ଗଲେ । ସେଠୁ ଜଳଖିଆ କିଣି ଜମିରେ ମଜୁରିଆଙ୍କୁ ଦେବାକୁ ଯାଉଥିଲେ । ହେଲେ ବାଟରେ ଜଗି ବସିଥିଲା ମୃତ୍ୟୁ । ଟ୍ରକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ନୂଆପଡ଼ା ଗାଁରୁ ଆସିଛି ଏହି ଦୁଃଖଦ ଖବର । ନୂଆପଡା ରାସ୍ତା କାନାଡ଼ା ବ୍ୟାଙ୍କ ନିକଟରେ ବାଇକ୍‌ ଆରୋହୀଙ୍କ ଉପରେ ଟ୍ରକ ଚଢିଯିବାରୁ ଟ୍ରକ ଚକା ତଳେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ନୂଆପଡା ଗାଁର ମଥୁରାନନ୍ଦ ବେହେରାଙ୍କ ପୁଅ ସୁଶାନ୍ତ ବେହେରା (୩୫) । ନୂଆପଡା ବଜାରରୁ ଜଳଖିଆ ନେଇ ବିଲରେ ଚାଷ କରୁଥିବା ମୁଲିଆଙ୍କୁ ଦେବାକୁ ଯାଉଥିବା ବେଳେ କାନାଡ଼ା ବ୍ୟାଙ୍କ ନିକଟରୁ ୧୦୦ ମିଟର ଦୂରରେ ତାଙ୍କୁ ଟ୍ରକ ଧକ୍କା ଦେଇଥିଲା । ଗରଦପୁରରୁ ନୂଆପଡା ଆଡକୁ ଆସୁଥିବା ଏକ ୧୦ ଚକିଆ ଟ୍ରକ ଓଡି-୨୧ଜେ୨୬୯୧ ସୁଶାନ୍ତଙ୍କ ଉପରେ ମାଡି ଯାଇଥିଲା । ବାଇକ୍‌ଟି ଟ୍ରକ ଚକା ତଳେ ଚାପି ହୋଇଯାଇଥିଲା । ନିକଟ ଚାଷ ଜମିରେ କାମ କରୁଥିବା ଲୋକମାନେ ଘଟଣାସ୍ଥଳକୁ ଆସି ଟ୍ରକକୁ ଅଟକାଇଥିଲେ । ସୁଶାନ୍ତଙ୍କୁ ଟ୍ରକ ତଳୁ ବାହାର କରିବା ସମ୍ଭବ ହୋଇପାରନଥିଲା । ଶେଷରେ ଆଖି ବୁଜିଥିଲେ ସେ । ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା । ଡ୍ରାଇଭରକୁ ଅଟକ ରଖି ଲୋକମାନେ ପୁଲିସକୁ ଖବର ଦେଇଥିଲେ । ପାଟକୁରା ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଜା କରିଥିଲେ । କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ । ମୃତଦେହକୁ ବ୍ୟବଚ୍ଛେଦ କରିବାକୁ ଛାଡିନଥିଲେ । ଘଟଣାସ୍ଥଳରେ ଗରଦପୁରର ହସିଲଦାର ତୃପ୍ତି ଦାସ ପହଞ୍ଚି ଲୋକମାନଙ୍କୁ ବୁଝାସୁଜା କରିଥିଲେ ।

jittmm
Leave A Reply

Your email address will not be published.