ତୁରନ୍ତ ଟ୍ରେନ ଚଳାଇବାକୁ ଏମ୍‌ପି ଚନ୍ଦ୍ରାଣୀଙ୍କ ଦାବୀ

କେନ୍ଦୁଝର : କେନ୍ଦୁଝର ଜି‌ଲ୍ଲାରେ ପୁରୀ-ବଡ଼ବିଲ ଇଣ୍ଟରସିଟି ଏକ୍ସପ୍ରେସ ଚଳାଚଳ ପାଇଁ ଏମ୍‌ପି ଚନ୍ଦ୍ରାଣୀ ମୂର୍ମୁ କେନ୍ଦ୍ର ରେଳମନ୍ତ୍ରୀଙ୍କଠାରେ ଦାବି କରିଛନ୍ତି । କରୋନା ମହାମାରୀ ପାଇଁ ଏହି ଟ୍ରେନ ମାର୍ଚ୍ଚ ୨୦୨୦ରୁ ବନ୍ଦ ରହିଥିଲା । ଏବେ ଜୀବନ ଯାତ୍ରା ସ୍ୱାଭାବିକ ହେଉଥିବା ବେଳେ ସ୍କୁଲ, କଲେଜ ଖୋଲିଗଲାଣି । ଏପରିକି ପଡୋଶୀ ମୟୂରଭଞ୍ଜ ଜି‌ଲ୍ଲାକୁ ପୁରୀ-ବାଙ୍ଗିରିପୋଷି ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । କେନ୍ଦୁଝର ଜି‌ଲ୍ଲାରୁ ରେଳବାଇ ଦୈନିକ ପନ୍ଦର କୋଟି ରାଜସ୍ୱ ପାଉଥିଲେ ହେଁ ଜିଲାବାସୀଙ୍କ ପ୍ରତି ଅଣଦେଖା କରି ଟ୍ରେନ ଚଳାଚଳ କରାଯାଉନାହିଁ ବୋଲି ସେ କହିଛନ୍ତି । ଗତ ଅକ୍ଟୋବର ମାସରେ ସପ୍ତାହରେ ତିନି ଦିନ ଚାଲିଥିବା ବେଳେ କ୍ଷତି ଦର୍ଶାଇ ବନ୍ଦ କରିଦିଆଯାଇଥିଲା । ଏଣୁ ଟ୍ରେନ ଚଳାଚଳ ହେଲେ ଦୈନିକ ତିନି ହଜାର ଲୋକ ଯାତାୟାତ ସୁବିଧା ପାଇ ପାରିବେ ବୋଲି ଜଣାଇଛନ୍ତି । ତୁରନ୍ତ ପଦକ୍ଷେପ ନେଇ ଟ୍ରେନ ଚଳାଚଳ କରା ନ ଗଲେ ରାଜନୈତିକ ଦଳ ତଥା ସାଧାରଣ ନାଗରିକ ମାଲ୍‌ବାହୀ ଟ୍ରେନ ଅଟକାଇ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.