ପାଇଖାନା ପାଇଁ ଦୁଇ ବିଡିଓ ନିଲମ୍ୱିତ

ଭୁବନେଶ୍ୱର : ପାଇଖାନା ଦୁର୍ନୀତି ଅଭିଯୋଗରେ ଦୁଇ ବିଡିଓ ନିଲମ୍ୱିତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ୩ ଅଧିକାରୀଙ୍କୁ ନିଲମ୍ୱିତ କରିଛି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୂର ସିଂ ଧରୁଆ ଓ ଯନ୍ତ୍ରୀ ସୁନୀଲ ସାମଲଙ୍କ ନାଁରେ ପାଇଖାନା ଦୁର୍ନୀତି ଅଭିଯୋଗ ହୋଇଥିଲା । ଶୌଚାଳୟ ନିର୍ମାଣରେ ଅନିୟମିତତା ନେଇ ବିଡିଓ ଦେବେନ୍ଦ୍ର ବାହାଦୂର ସିଂଙ୍କ ବିରୋଧରେ ଶତାଧିକ ହିତାଧୀକାରୀ ଥାନାରେ ଏତଲା ଦେଇଥିଲେ । ଝରିଗାଁ ବ୍ଲକ୍‌ରେ ୨୬ ହଜାର ୩୫୫ ଟି ଶୌଚାଳୟ ନିର୍ମାଣ ବାବଦକୁ କୋଟି କୋଟି ଟଙ୍କା ବାଟମାରଣା ହୋଇଥିବା ବେଳେ ପିସି ବାବଦକୁ ବିଡିଓ ୫ କୋଟିରୁ ଅଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ନବରଙ୍ଗପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପିଡି-ଡିଆରଡିଏ ଗାଁକୁ ଯାଇ ତଦନ୍ତ କରିବା ପରେ ଉଭୟଙ୍କୁ ନିଲମ୍ବିତ କରାଯାଇଛି । ସେପଟେ ସମାନଭାବେ ପାଇଖାନା ଦୁର୍ନୀତି ଅଭିଯୋଗରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଡିଓ ଲରିମନ ଖରସେଲ୍‌ ନିଲମ୍ବିତ ହୋଇଛନ୍ତି । ବ୍ଲକରେ ଶୌଚାଳୟ ନିର୍ମାଣରେ ଅନିୟମିତତା ଅଭିଯୋଗରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ତାଙ୍କୁ ନିଲମ୍ବିତ କରିଛି । ଏହାସହ ପିଡି-ଡିଆରଡିଏଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡି ନଯିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.

error: Content is protected !!