ସେକ୍ଟର-୧୯ ଥାନାରେ ଆମ ପୁଲିସ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୧୯ ଥାନା ଆମ ପୁଲିସ ପକ୍ଷରୁ ବିଭିନ୍ନ ପ୍ରକାରର ସମସ୍ୟା ନେଇ ଏକ ସଚେତନତା ମୂଳକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଥାନା ପ୍ରଭାରୀ ସାଇପ୍ରଭା ରାଉତଙ୍କ ଆବାହକତ୍ଵରେ ଆୟୋଜିତ ଏହି ବୈଠକରେ ଡିଏସ୍‌ପି ପୁଷ୍ପାଞ୍ଜଳି ନେଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ପ୍ରତ୍ତି ଦେଖାଦେଇଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଏଥିପାଇଁ ସମସ୍ତେ ସଜାଗ ସହ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ । ଏହା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇବାକୁ ଚେଷ୍ଟାକଲେ ଆମେ ଆମର ଧନଜୀବନ ସୁରକ୍ଷିତ ରଖିପାରିବା ବୋଲି କହିଥିଲେ । ବିଭିନ୍ନ ସମସ୍ୟା ଭିତରେ ସାଇବର ଠକେଇ, ବରିଷ୍ଠ ନାଗରିକଙ୍କ ସମସ୍ୟା ଓ ସୁରକ୍ଷା, ଟ୍ରାଫିକ ନିୟମ ଯଥା ଗାଡି ଚଲାଇଲା ବେଳେ ହେଲ୍‌ମେଟ୍‌ ବ୍ୟବହାର, ଗାଡି ଚଲାଇଲା ବେଳେ ମୋବାଇଲ ଫୋନ୍‌ ବ୍ୟବହାର ନକରିବା ଓ ମଦ ନପିଇ ଗାଡ଼ି ଚଲାଇବା, କାର୍‌ରେ ସିଟ୍ ବେଲ୍ଟ ବାନ୍ଧିବା, ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମ୍ପର୍କରେ ପୁଲିସକୁ ସୂଚନା ଦେବା, ଜନସାଧାରଣଙ୍କ ସ୍ଥାନରେ ମଦ୍ୟପାନ ନକରିବା, ସଟ୍ଟା ଖେଳକୁ ବନ୍ଦ କରିବା, ହମିରପୁର ଅଞ୍ଚଳରେ ଏକ ପୁଲିସ ଆଉଟପୋଷ୍ଟ ଖୋଲିବା, ମିଶ୍ର ଖଟାଲରେ ରୋଡ୍‌ ଉପରେ ଗାଇ ମହିଁଷୀ ନବାନ୍ଧିବା, ନେହେରୁପାଲିରେ ଦେଶୀମଦ ବିକ୍ରି ନକରିବା, ଇଏଫଆଇଆର୍‌ର ସୁଯୋଗ, ସର୍ବୋପରି ଛୋଟ ସ୍କୁଲ ପିଲାମାନଙ୍କୁ ଗାଡି ନଦେବା ତଥା ପିଲାମାନେ ଧରାପଡିଲେ ଅଭିଭାବକଙ୍କୁ ୨୫ ହଜାର ଜରିମାନା ପରିବର୍ତ୍ତେ ୧ ଲକ୍ଷ ଟଙ୍କା ଜରିମାନା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ ବିଭିନ୍ନ ସମସ୍ୟା ନେଇ ରୁକସନା ବେଗମ୍, ନିଳିମା ଜୟସିଂହ, ମନୋଜ ସାହୁ, ଅବିନାଶ ଗୁପ୍ତା, ପ୍ରକାଶ ଗୁପ୍ତା, ସନ୍ତୋଷ ସ୍ୱାଇଁ, ବସନ୍ତ ସ୍ୱାଇଁ, ଯଦୁମଣି ପାତ୍ର, ଅମିତାଭ ଘୋଷ, ସୁବାସ ଗୁପ୍ତା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ସବୁ ସମସ୍ୟାର ସମାଧାନ ପାଇଁ ଡିଏସ୍‌ପି ନେଙ୍ଗୀ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ଶେଷରେ ଆମ ପୁଲିସର ସଦସ୍ୟ କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ବହୁ ମହିଳାଙ୍କ ସମତେ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ । ଆମ ପୁଲିସ ତରଫରୁ ଏଏସ୍‌ଆଇ ସୁଷମା ସାହୁ, ଏଏସ୍‌ଆଇ ରୁଦ୍ରନାରାୟଣ ଦାସ, ଆଶା ତିର୍କି ଓ ଦିଲ୍ଲୀପ ତିର୍କି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.