ଲାଠୋରରେ ଜବତ ହୋଇଛି ୧ କୋଟି ୪ ଲକ୍ଷ ଟଙ୍କାର ଗଞ୍ଜେଇ : ସୂଚନା ଦେଲେ ଏସ୍‌ପି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଝଲିଆଲିଟି ଗ୍ରାମ ନିକଟସ୍ଥ ମସିଣା ଛକ ଠାରେ ଗତକାଲି ୧୩ କ୍ୱିଣ୍ଟାଲ ୯ କେଜି ଗଞ୍ଜେଇ ଲାଠୋର ପୋଲିସ ଜବତ କରିଥିବା ଘଟଣା ଅଞ୍ଚଳରେ ଚହଳ ସୃଷ୍ଟି କରିଛି । ଆଜି ପାଟଣାଗଡ଼ ଠାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରୀ ସୂଚନା ଦେଇଛନ୍ତି ଯେ, କନ୍ଧମାଳ ଅଞ୍ଚଳରୁ ନୂଆପଡା ଜିଲ୍ଲା କୋମନାକୁ ଗଞ୍ଜେଇ ଆସୁଥିବା ବେଳେ ଲାଠୋର ପୋଲିସ ନାକାବନ୍ଦି ସମୟରେ ଗଞ୍ଜେଇ ଭର୍ତ୍ତି ଗାଡିକୁ ଧରିବାରେ ସକ୍ଷମ ହୋଇଥିଲା । ଗଞ୍ଜେଇ ଗାଡିଟିକୁ ଦୁଇ ଜଣ ଅଭିଯୁକ୍ତ ଦୁଇଟି ମୋଟର ସାଇକେଲ ଯୋଗେ ଏସ୍କର୍ଟ କରୁଥିଲେ, ସେମାନଙ୍କୁପୋଲିସ ଗିରଫ କରିଛି । ପୋଲିସ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ଗୋଟିଏ ବୋଲେରୋ ପିକ୍‌ଅପ୍‌, ଦୁଇଟି ବାଇକ୍‌, ଚାରୋଟି ମୋବାଇଲ ଏବଂ ୧୨ ହଜାର ଟଙ୍କା ନଗଦ ଜବତ କରିଥିବା ଜଣାପଡିଛି । ଏତେ ପରିମାଣରେ ଗଞ୍ଜେଇ କନ୍ଧମାଳରୁ ନୂଆପଡା ଜିଲ୍ଲାକୁ ଆସୁଥିବା ବେଳେ ଲାଠୋର୍‌ ପର୍ଯ୍ୟନ୍ତ ପୋଲିସ ଆଖିରେ ଧୂଳି ଦେଇ କେମିତି ପହଂଚିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ପ୍ରାୟ ୧ କୋଟି ୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ଅଞ୍ଚଳରେ ପ୍ରଥମ ଘଟଣା ହୋଇଥିବା ବେଳେ ବଲାଙ୍ଗିର ଏସ୍‌ପି ଅଞ୍ଚଳରେ ଗଂଜେଇ କାରବାର ରୋକିବା ପାଇଁ ଯେଉଁଭଳି ଅଭିଯାନ ଚଳେଇଛନ୍ତି, ସେଥିପାଇଁ ଜନସାଧାରଣ ତାଙ୍କୁ ସାଧୁବାଦ ଜଣେଇଛନ୍ତି । ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ଏବଂ ଲାଠୋର ଥାନାଧିକାରୀ ରାକେଶ ବେହେରାଙ୍କ କର୍ତ୍ତବ୍ୟନିଷ୍ଠତାକୁ ମଧ୍ୟ ଅଞ୍ଚଳରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.