jayashree

ଆନ୍ଧ୍ରପ୍ରଦେଶରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ କିକିରିବେଡ଼ା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ଆନ୍ଧ୍ରପ୍ରଦେଶରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ହେଲେ ଉକ୍ତ ଗ୍ରାମର ଅକ୍ଷୟ ମାଝି । ଗାଁରେ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସୂଚନା ଯେ, ଅକ୍ଷୟ ୩ ମାସ ତଳେ ସ୍ତ୍ରୀ ମଦନେ ମାଝି ଓ ୨ ବର୍ଷର ପୁଅ ଥବିରାମଙ୍କୁ ଧରି ଗ୍ରାମର ଅନ୍ୟ କିଛି ଲୋକଙ୍କ ସହ ଆନ୍ଧ୍ରପ୍ରଦେଶକୁ ଇଟା ଗଢିବାକୁ ଯାଇଥିଲେ । ସେଠାରେ କାମ କରୁଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସେ ଗୁରୁତର ଆହତ ହୋଇଥିଲେ । ଲୋକେ ହସ୍ପିଟାଲ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ଥାନୀୟ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଇଟାଭାଟି ମାଲିକ ଆମ୍ବୁଲାନ୍ସରେ ମୃତଦେହ ପଠାଇବା ବ୍ୟବସ୍ଥା କରିଥିବା ବେଳେ କୌଣସି ସହଯୋଗ କରି ନ ଥିବା ଜଣାପଡ଼ିଛି । ଏବେ ସ୍ତ୍ରୀ ଓ ଦୁଇ ବର୍ଷର ପୁଅ ଅସହାୟ ହୋଇପଡିଛନ୍ତି । ଏନେଇ ଖୁଦପେଜ ସରପଞ୍ଚ ଯୋଶୋଦା ଶତପଥିଙ୍କୁ ପଚାରିବାରୁ ହରିଶ୍ଚନ୍ଦ୍ର ଯୋଜନାରେ ତିନି ହଜାର ଟଙ୍କା ତୁରନ୍ତ ପ୍ରଦାନ କରିବେ ଓ ଅନ୍ୟ ଯୋଜନାର ସୁବିଧା ଦେବା ପାଇଁ ବ୍ୟବସ୍ଥା କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.