ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଏକ ହତ୍ୟାକାଣ୍ଡରେ ଜଡିତ ଥିବା ବିଚରାଧୀନ କଏଦୀ ଛତ୍ରପୁର ସବ୍-ଜେଲରୁ ମୋବାଇଲ୍ ଫୋନ୍ ଜରିଆରେ ସାକ୍ଷୀଙ୍କୁ ଧମକାଇବା ମହଙ୍ଗା ପଡ଼ିଲା । ଘଟଣାରୁ ଜଣାଯାଇଛି ଯେ’ ଏହି ମାମଲାର ଶୁଣାଣି କରି ସୋମବାର ଛତ୍ରପୁର ଏସ୍.ଡ଼ି.ଜେ.ଏମ୍. ପ୍ରୀତିଶ କୁମାର ରଥ ମୁଖ୍ୟ ଅଭିଯୁକ୍ତ ବିପୁଳିଙ୍ଗୀ ଗ୍ରାମର ରାଧାଶ୍ୟାମ ଚୌଧୁରୀଙ୍କୁ ଏତଲାକାରୀ ତଥା ସାକ୍ଷୀ ଆଶିଷ ଚୌଧୁରୀଙ୍କୁ ଜୀବନରେ ମାରିବାକୁ ଧମକ ଦେଇଥିବା ଜଣାପଡ଼ିଛି । ଏହି ମାମଲାରେ ଭାରତୀୟ ପିଙ୍ଗଳ କୋର୍ଡର ଦଫା ୫୦୬ରେ ଏକମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ପକ୍ଷରୁ କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ଏହି ମାମଲାଟିକୁ ପରିଚାଳନା କରୁଥିଲେ । ସୂଚନାଯୋଗ୍ୟ ଯେ, ଗତବର୍ଷ ଅର୍ଥାତ ୨୦୨୩ ମସିହା ଫେବୃଆରୀ ମାସରେ କୌଣସି ଏକ କାରଣକୁ ନେଇ ଅଭିଯୁକ୍ତ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା ଓ ପରବର୍ତ୍ତୀ ମୁହୂର୍ତ୍ତରେ ଘରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ଜଣଙ୍କ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ । ପରେ ଏହି ଖବର ପାଇ ତଥା ଅଭିଯୁକ୍ତ ବାପାଙ୍କ ଅତ୍ୟାଚାର ସହି ନପାରି ତାଙ୍କର ଅନ୍ୟ ଏକପୁଅ ଦେବାଶିଷ ପଣ୍ଡା ଆତ୍ମହତ୍ୟା କରିଥିଲେ । ଯାହାଫଳରେ କି ଗତବର୍ଷ ମାର୍ଚ୍ଚମାସରୁ ଅଭିଯୁକ୍ତ ରାଧାଶ୍ୟାମ ଚୌଧୁରୀ ଛତ୍ରପୁର ସବ୍-ଜେଲରେ ବିଚରାଧୀନ କଏଦୀ ଭାବେ ରହିଛନ୍ତି । କିନ୍ତୁ ସେଠି ରହିଲା ପରେ ବି ତାଙ୍କର ଅତ୍ୟାଚାର କମି ନଥିଲା ବରଂ ସେ ନିଜର ଅନ୍ୟ ଦୁଇ ପୁଅ ଆଶିଷ ଚୌଧୁରୀ ଓ ଶାନ୍ତନୁ ଚୌଧୁରୀଙ୍କୁ ମାରିବା ପାଇଁ ବିଭିନ୍ନ ଲୋକଙ୍କ ମାଧ୍ୟମରେ ତଥା ଫୋନ୍ ମାଧ୍ୟମରେ ଧମକ ଦେଇ ଆସୁଥିଲେ । ଯାହାକୁ ପ୍ରଥମେ ପ୍ରଥମେ ବାପା-ପୁଅ ସମ୍ପର୍କ ହିସାବରେ ଏତଲାକାରୀ ଏତେ ଧ୍ୟାନ ଦେଉ ନଥିଲେ କିନ୍ତୁ ପରେ ଯେତେବେଳେ ଏହି କଥା ବଢିବାରେ ଲାଗିଲା, ସେତେବେଳେ ତାଙ୍କ ଦୁଇ ପୁଅ ଏ ସଂକ୍ରାନ୍ତରେ ବିଚାର କରି ଛତ୍ରପୁର ଥାନାକୁ ଜଣାଇଥିଲେ । ତେଣୁ ଗତବର୍ଷ ଅଗଷ୍ଟ ମାସ ୨୦ ତାରିଖରେ ଆଶିଷ ଚୌଧୁରୀ ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଗଷ୍ଟ ୨୦, ୨୦୨୩ରେ କେସ୍ ନମ୍ବର ୫୪୭/୨୦୨୩ରେ ମାମଲାଟି ରୁଜ୍ଜୁ ହେବା ସହ ତଦନ୍ତକାରୀ ଅଧିକାରୀ ବିନୟ କୁମାର ଦାସ ଏହାର ବିଭିନ୍ନ ପ୍ରମାଣକୁ ଏକତ୍ର କରି ଭାରତୀୟ ପିଙ୍ଗଳ କୋର୍ଡର ଧାରା ୫୦୬/୫୦୭ରେ ଚାର୍ଜସିଟ ଦାଖଲ କରିଥିଲେ ଓ ଏହି ମାମଲାଟି ଜିଆର୍ ୧୧୦୧/୨୩ରେ ପଞ୍ଜିକୃତ ହୋଇ ଛତ୍ରପୁର କୋର୍ଟରେ ବିଚରାଧୀନ ରହିଥିଲା । ଆଜି ୭ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ତଥା ଏଭଳି ସଙ୍ଗୀନ ଅଭିଯୋଗକୁ ଦୃଷ୍ଟିରେ ରଖି ଓ ସାକ୍ଷୀଙ୍କ ସୁରକ୍ଷା କଥା ଚିନ୍ତା କରି ଆଜି ମାନ୍ୟବର ନ୍ୟାୟାଧୀଶ ଅଭିଯୁକ୍ତଙ୍କୁ ୫୦୬ ଧାରାରେ ଅଭିଯୁକ୍ତ ରାଧାଶ୍ୟାମ ଚୌଧୁରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।
Next Post